ନୂଆଦିଲ୍ଲୀ: ଦିଲ୍ଲୀର ବାୟୁମାନରେ ସାମାନ୍ୟ ଉନ୍ନତି ଘଟିଥିଲେ ମଧ୍ୟ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ବର୍ଷରେ ଏହା ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି। ଏହାର ବାୟୁରେ ପିଏମ୍୨.୫ (ଅତିଶୟ କ୍ଷୁଦ୍ର କଣିକା)ର ଘନତା ୧୦୦.୧ ରହିଛି, ଯାହା ନିରାପଦ ସୀମାଠାରୁ ୩ ଗୁଣ ଅଧିକ। ଏକ ସ୍ବାଧୀନ ଥିଙ୍କ ଟ୍ୟାଙ୍କ କ୍ଲାଇମେଟ୍ ଟ୍ରେଣ୍ଡସ ଓ ପ୍ରଯୁକ୍ତି ଫାର୍ମ ରେସ୍ପାୟରର ଲିଭିଂ ସାଇନ୍ସେସ୍ ଦ୍ବାରା ଏହି ତଥ୍ୟ ପ୍ରକାଶ ପାଇଛି, ଯାହାର ଅନୁଧ୍ୟାନ ରିପୋର୍ଟ ଅନୁସାରେ ଆଇଜଲ ଓ ମିଜୋରାମର ବାୟୁ ହେଉଛି ସବୁଠାରୁ ସ୍ବଚ୍ଛ, ଯାହାର ପିଏମ୍୨.୫ ସ୍ତର ଘନମିଟର ପିଛା ମାତ୍ର ୧୧.୧ ମାଇକ୍ରୋଗ୍ରାମ୍ ରହିଛି।
ପ୍ରମୁଖ ୧୦ଟି ପ୍ରଦୂଷିତ ସହର ମଧ୍ୟରେ ରହିଛି ଜାତୀୟ ରାଜଧାନୀ ଅଞ୍ଚଳର ୪ଟି ସହର- ଫରିଦାବାଦ (୮୯), ନଏଡ଼ା (୭୯.୧), ଗାଜିଆବାଦ (୭୮.୩) ଓ ମିରଟ (୭୬.୯)। ଅକ୍ଟେବାର ୧, ୨୦୨୨ରୁ ସେପ୍ଟେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ସରକାରଙ୍କ ପ୍ରଦତ୍ତ ପିଏମ୍୨.୫ ତଥ୍ୟର ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି। ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଦିଲ୍ଲୀ ପରେ ପାଟନା ହେଉଛି ଦ୍ବିତୀୟ ସବୁଠାରୁ ବଡ଼ ପ୍ରଦୂଷିତ ସହର ଯାହାର ପିଏମ୍୨.୫ ଘନତା ହେଉଛି ଘନମିଟର ପିଛା ୯୯.୭ ମାଇକ୍ରୋଗ୍ରାମ୍। ପୂର୍ବ ବର୍ଷ ତୁଳନାରେ ପାଟନାର ବାୟୁମାନରେ ୨୪ ପ୍ରତିଶତ ଅବନତି ଘଟିଛି। ଭାରତର ସବୁଠାରୁ ପ୍ରଦୂଷିତ ୭ଟି ସହର ହେଉଛି- ଦିଲ୍ଲୀ, ପାଟନା, ମୁଜାଫରପୁର, ଫରିଦାବାଦ, ନଏଡ଼ା, ଗାଜିଆବାଦ ଓ ମିରଟ। ଏ ସମସ୍ତ ଗାଙ୍ଗେୟ ସମତଳ ଅଞ୍ଚଳରେ ଅବସ୍ଥିତ। ତେବେ ଦିଲ୍ଲୀ, ଫରିଦାବାଦ, ନଏଡ଼ା, ଗାଜିଆବାଦ ଓ ମିରଟର ପିଏମ୍୨.୫ ଘନତା ପୂର୍ବାପେକ୍ଷା ଯଥାକ୍ରମେ ୪, ୧୨, ୧୨, ୨୫, ଓ ୧୧ ପ୍ରତିଶତ ହ୍ରାସ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି ବୋଲି କ୍ଲାଇମେଟ୍ ଟ୍ରେଣ୍ଡସର ନିର୍ଦ୍ଦେଶକ ଆରତି ଖୋସଲା କହିଛନ୍ତି।