ଦିଲ୍ଲୀକୁ ମିଳିବ ଚୀନ୍‌ ଭଳି ଅସ୍ଥାୟୀ ହସ୍ପିଟାଲ୍‌

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଦିନକରେ ଦିଲ୍ଲୀରେ ପୁଣି ୨୦୦୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଗୋଟିଏ ପଟେ ଦିଲ୍ଲୀରେ ସଂକ୍ରମଣ ହାର ବଢ଼ିଥିବା ବେଳେ ଆରୋଗ୍ୟ ହାର କମୁଛି। ଆଜି ମୃତ୍ୟୁସଂଖ୍ୟା‌ରେ ଦିଲ୍ଲୀ ମହାରାଷ୍ଟ୍ରକୁ ମଧ୍ୟ ଟପିଯାଇଛି। ଏହା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି। ଅନ୍ୟପକ୍ଷେ ଦିଲ୍ଲା ସରକାର ଆକଳନ କରିଛନ୍ତି ଯେ, ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ ସଂକ୍ରମଣ ମାମଲା ୫.୫ ଲକ୍ଷରେ ପହଞ୍ଚିଥିବ। ଏଥିରୁ ପ୍ରାୟ ୧ ଲକ୍ଷ ରୋଗୀଙ୍କୁ ହସ୍ପିଟାଲ୍‌ ବେଡ୍‌ ଆବଶ୍ୟକ ହେବ। ତେଣୁ ଦିଲ୍ଲୀରେ ଏବେ କରୋନା ମୁକାବିଲାପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ‌ହୋଇଛି। ଦିଲ୍ଲୀ ସରକାର ଦକ୍ଷିଣ ଦିଲ୍ଲୀରେ ଏକ ବିସ୍ତୃତ ତମ୍ବୁ ତଳେ ୧୦ ହଜାର ବେଡ୍‌ ବିଶିଷ୍ଟ ଏକ ଅସ୍ଥାୟୀ ହସ୍ପିଟାଲ୍‌ ପାଇଁ ଯୋଜନା କରିଛନ୍ତି। ଦକ୍ଷିଣ ଦିଲ୍ଲୀର ଏକ ଧାର୍ମିକ ସ୍ଥଳ ନିକଟରେ ଏହି ଅସ୍ଥାୟୀ ହସ୍ପିଟାଲ୍‌ର ଯୋଜନା ହୋଇଛି।

ଦିଲ୍ଳୀ-ହରିୟାଣା ସୀମା ନିକଟରେ ଏହି ହସ୍ପିଟାଲ୍‌ ରହିବ। ଏହାର ଆକାର ୧,୭୦୦ ଫୁଟ୍‌ ଲମ୍ବ ଏବଂ ୭୦୦ ଫୁଟ୍‌ ଚଉଡ଼ା ରହିବ। ୨୦୦ଟି ଏନ୍‌କ୍ଲୋଜର ରହିବ ଏବଂ ପ୍ରତି ଏନ୍‌କ୍ଲୋଜରରେ ୫୦ ବେଡ୍‌ ରହିବ। ତେବେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଏଭଳି ଏକ ଅସ୍ଥାୟୀ ହସ୍ପିଟାଲ୍‌ ପ୍ରସ୍ତୂତ ହେବାକୁ ଯାଉଛି। ଜୁନ୍‌ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ। ଏହି ଅସ୍ଥା‌ୟୀ ହସ୍ପିଟାଲ୍‌ରେ ଗରମକୁ ଦୃଷ୍ଟିରେ ରଖି କୁଲର ବ୍ୟବସ୍ଥା କରାଯିବ। ଦିଲ୍ଲୀ ସରକାର ମଧ୍ୟ ଏବେ କମ୍ୟୁନିଟି ହଲ୍‌ ଏବଂ ଷ୍ଟାଡିୟମ୍‌କୁ ଅସ୍ଥାୟୀ ହସ୍ପିଟାଲ୍‌ରେ ପରିଣତ କରିବାପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦିଲ୍ଲୀରେ ଏବେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ହସ୍ପିଟାଲ୍‌ ଗୁଡ଼ିକରେ ୯,୬୪୭ ଡେଡିକେଟେଡ୍‌ କୋଭିଡ୍‌ ବେଡ୍‌ ଥିବାବେଳେ ଏଥି ମଧ୍ୟରୁ ୫,୪୦୨ ବେଡ୍‌ରେ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର