ଦିଲ୍ଲୀ ସାକ୍ଷୀ ହତ୍ୟାକାଣ୍ଡ: ହତ୍ୟା କରି ବି ଅନୁଶୋଚନା ନାହିଁ

୧୫ ଦିନ ତଳେ ହତ୍ୟା ଯୋଜନା କରିଥିଲା ସାହିଲ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅନ୍ତର୍ଗତ ଶାହବାଦ ଡାଇରି ଅଞ୍ଚଳରେ ୧୬ ବର୍ଷୀୟା ବାଳିକା ସାକ୍ଷୀକୁ ୨୧ଥର ଛୁରି ଭୁଷି ଓ ପଥରରେ ଛେଚି ବର୍ବର ହତ୍ୟା କରିଥିବା ୨୦ ବର୍ଷୀୟ ଅଭିଯୁକ୍ତ ସାହିଲକୁ ପୁଲିସ ଜେରା କରିବା ବେଳେ ସେ ଏଭଳି କୁକାର୍ଯ୍ୟ ପାଇଁ ‌ସାମାନ୍ୟତମ ଅନୁଶୋଚନା ପ୍ରକାଶ କରି ନ ଥିବା ଜଣାପଡ଼ିଛି। ଅପରାଧ ସମୟର ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ସାହିଲକୁ ଉତ୍ତରପ୍ରଦେଶର ବୁଲନ୍ଦଶହର ଅଞ୍ଚଳରୁ ଗିରଫ କରାଯାଇଥିଲା। ତାକୁ ବର୍ତ୍ତମାନ ବାୱାନା ଥାନା ହାଜତରେ ରଖାଯାଇଛି। ମେ ୨୯ ତାରିଖ ରାତିରେ ତାକୁ ଦିଲ୍ଲୀ ପୁଲିସ ଅଧିକାରୀମାନେ ଜେରା କରିଥିଲେ। କିନ୍ତୁ ଜେରା ସମୟରେ ଏପରି ନାରକୀୟ କାଣ୍ଡ ପାଇଁ ସେ ସାମାନ୍ୟତମ ଦୁଃଖ ବା ଅନୁଶୋଚନା ପ୍ରକାଶ କରି ନ ଥିବା ପୁଲିସ ପ୍ରକାଶ କରିଛି।

ଯେଉଁ ଛୁରିକୁ ହତ୍ୟା ପାଇଁ ବ୍ୟବହାର କରାଯାଇଥିଲା ତାକୁ ଏପର୍ଯ୍ୟନ୍ତ ଜବତ କରାଯାଇ ପାରିନାହିଁ। ପୁଲିସ ତାକୁ ଖୋଜୁଛି। ୧୫ ଦିନ ତଳେ ବାଳିକାକୁ ହତ୍ୟା କରିବା ପାଇଁ ସାହିଲ ଉକ୍ତ ଛୁରି କିଣିଥିଲା। ଅର୍ଥାତ୍ ୧୫ ଦିନ ତଳୁ ସେ ଉକ୍ତ ହତ୍ୟା ଯୋଜନା କରିଥିଲା। ତେବେ ସେ କେଉଁଠୁ ଛୁରି କିଣିଥିଲା ତାହା ପ୍ରକାଶ କରିନାହିଁ। ଗୁରୁବାର ସ୍ଥାନୀୟ ସାପ୍ତାହିକ ହାଟରୁ ସେ ତାହା କିଣିଥିବା ପୁଲିସ ସନ୍ଦେହ କରୁଛି। ମଙ୍ଗଳବାର ସାହିଲକୁ ଦୁଇଦିନିଆ ପୁଲିସ ରିମାଣ୍ଡରେ ନିଆଯାଇଛି। ସାହିଲ ହତ୍ୟାକାଣ୍ଡର କାରଣ ନେଇ ବିଭିନ୍ନ କଥା କହୁଛି ଓ ବାରମ୍ବାର ବୟାନ ବଦଳାଉଛି ବୋଲି ପୁଲିସ ପ୍ରକାଶ କରିଛି। ସାହିଲର କହିବା ଅନୁସାରେ, ବାଳିକାଟି ତାକୁ ଛାଡ଼ି ନିକଟରେ ଆଉ ଜଣେ ବାଳକ ସହ ସମ୍ପର୍କ ଯୋଡ଼ିଥିଲା। ଝାବ୍ରୁ ସାହିଲକୁ ସାକ୍ଷୀଠାରୁ ଦୂରେଇ ରହିବା ପାଇଁ ଚେତାବନୀ ଦେଇଥିଲା। ଏଥିରେ ସାହିଲ ଖୁବ୍ ରାଗିଯାଇ ସାକ୍ଷୀକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ସେ ୧୫ ଦିନ ତଳୁ ଛୁରି କିଣିଥିବାରୁ ତା’ କଥାରେ କେତେ ସତ୍ୟତା ଅଛି ପୁଲିସ ତାହା ପରୀକ୍ଷା କରୁଛି।

ସମ୍ବନ୍ଧିତ ଖବର