ପକେଟମାରଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ମହିଳା, ଛୁରୀମାଡ଼ରେ ସ୍ୱାମୀ ମୃତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀର ପ୍ରଗତି ମୈଦାନଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଦିଲ୍ଲୀ ସିଟି ବସରେ ଯାତ୍ରା କରୁଥିବା ସମୟରେ ଜଣେ ପକେଟମାରଠାରୁ ଜିନିଷ ବଞ୍ଚାଇବା ପାଇଁ ଯାଇ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଘଟଣାରେସ୍ଥଳରେ ତାଙ୍କ ସ୍ୱାମୀଙ୍କରମୃତ୍ୟୁ ଘଟିଛି।

ଘଟଣା ଅନୁଯାୟୀ , ଉତ୍ତରପ୍ରଦେଶର ଅମରଜିତ ତାଙ୍କ ପତ୍ନୀ ମଞ୍ଜୁ , ଭାଇ ଏବଂ ୪ ବର୍ଷର ପୁଅ ସାଙ୍ଗରେ ଦିଲ୍ଲୀ ଚିଡିଆଖାନା ଦେଖି ବସ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ଚାରିଜଣ ଯୁବକ ଅମରଜିତଙ୍କ ମୋବାଇଲ ଚୋରି କରି ପଳାଇ ଯାଉଥିବାର ଦେଖିଥିଲେ ମଞ୍ଜୁ । ଏହାପରେ ସେ ବସ୍‌ ଓହ୍ଲାଇ ପଳାଉଥିବା ପକେଟମାରଙ୍କୁ ବହୁତ ସାହାସର ସହ ପ୍ରାୟ ୫୦ ମିଟର ପିଛା କରିବା ପରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କୁ ଧରି ପକାଇଥିଲେ। ବାକି ୩ ଜଣ ଅଭିଯୁକ୍ତ ତାଙ୍କ ସାଥୀକୁ ମଞ୍ଜୁଙ୍କ କବଳରୁ ଛଡ଼ାଇବା ପାଇଁ ତାଙ୍କୁ ଛୁରୀରେ ଆଘାତ କରିଥିଲେ । ଏତେ ସବୁ ପରେ ମଧ୍ୟ ମଞ୍ଜୁ ତାଙ୍କୁ ଛାଡ଼ି ନଥିଲେ । ଏହାପରେ ଘଟଣାସ୍ଥଳରେ ମଞ୍ଜୁଙ୍କୁ ବଞ୍ଚାଇବା ପାଇଁ ପହଞ୍ଚିଥିଲେ ତାଙ୍କ ସ୍ୱାମୀ ଅମରଜିତ । କିନ୍ତୁ ଏହାର ଫାଇଦା ଉଠାଇ ଅମରଜିତଙ୍କ ଛାତିରେ ଛୁରୀ ଭୁସି ଦେଇଥିଲେ ଜଣେ ଅଭିଯୁକ୍ତ । ଯାହା ଫଳରେ ଘଟଣାସ୍ଥଳରେ ହିଁ ଅମରଜିତଙ୍କର ମୃତ୍ୟୁ ଘଟିଥିଲା ।

Times Now

ସେଠାରେ ଉପସ୍ଥିତ ଥିବା ଲୋକେଏବଂ ପୁଲିସ କର୍ମଚାରୀଙ୍କ ସହାୟତା ଦ୍ୱାରା ୩ ଜଣ ଅଭିଯୁକ୍ତ ସୁରଜ(୨୦ ), ସୁମିତ (୨୫) ଏବଂ ଅଜିତ(୨୪)ଙ୍କୁ ଗିରଫ କରାଯାଇଛି । ତେବେ ଚତୁର୍ଥ ଅଭିଯୁକ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ରହିଛି। ତେବେ ଘଟଣାରେ ଆହତ ହୋଇଥିବା ମଞ୍ଜୁ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ପୁଲିସ ଏହି ଘଟଣାର ତଦନ୍ତ କରୁଛି ବୋଲି କହିଛନ୍ତି ନୂଆଦିଲ୍ଲୀର ଡ଼େପୁଟି କମିଶନର ଅଫ ପୁଲିସ ମଧୁର ବର୍ମା ।

ସମ୍ବନ୍ଧିତ ଖବର