ଦିଲ୍ଲୀର ବାୟୁମାନ ‘ଅତି ଖରାପ’ ସ୍ତରକୁ ଖସିଲା

ବାୟୁମାନ ସୂଚକାଙ୍କ ୩୨୩ ଛୁଇଁଲା, ନଏଡ଼ାରେ ୩୪୨

ନୂଆଦିଲ୍ଲୀ: ନଡ଼ାପୋଡ଼ିର ଧୂଆଁ ଭିତରେ ଦୀପାବଳିର ବାଣଫୁଟା ଦିଲ୍ଲୀର ବାୟୁମାନକୁ ‘ଅତି ଖରାପ’ ସ୍ତରକୁ ନେଇଯାଇଛି। ଏକ ସ୍ବିସ୍ ଅନୁଷ୍ଠାନ ମତରେ ଦୀପାବଳି ପରଦିନ ପାକିସ୍ତାନର ଲାହୋର ପଛକୁ ଦିଲ୍ଲୀ ବିଶ୍ବର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ଦିଲ୍ଲୀରେ ବାୟୁମାନ ସୂଚକାଙ୍କ ୩୨୩ ଛୁଇଁଥିବା ବେଳେ ନଏଡ଼ାରେ ଏହା ୩୪୨ ରହିଛି।

ତେବେ ୨୪ ଘଣ୍ଟାର ହାରାହାରି ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୩୨୩ରୁ ଜଣାପଡ଼ୁଛି ଯେ ଗତ ୭ ବର୍ଷ ଭିତରେ ପ୍ରଦୂଷଣ ଦୃଷ୍ଟିରୁ ଏହା ଦ୍ବିତୀୟ ସର୍ବୋତ୍ତମ ଦୀପାବଳି। ଏହା ପୂର୍ବରୁ ୨୦୧୮ରେ ଦୀପାବଳି ଦିନ ଦିଲ୍ଲୀର ଏକ୍ୟୁଆଇ ଥିଲା ୨୮୧। ଗତବର୍ଷ ଏହିଦିନର ଏକ୍ୟୁଆଇ ଥିଲା ୩୮୨। ୨୦୨୦, ୨୦୧୯, ୨୦୧୭ ଓ ୨୦୧୬ରେ ଥିଲା ଯଥାକ୍ରମେ ୪୧୪, ୩୩୭, ୩୧୯ ଓ ୪୩୧। ପାରିପାର୍ଶ୍ବିକ ଅଞ୍ଚଳ ଗାଜିଆବାଦ (୩୪୨), ନଏଡ଼ା (୩୦୩), ଗ୍ରେଟର ନଏଡ଼ା (ବୃହନ୍ନଏଡ଼ା) (୨୭୦), ଗୁରୁଗ୍ରାମ (୩୨୫) ଓ ଫରିଦାବାଦ (୨୫୬)ର ବାୟୁମାନ ‘ଖରାପ’ରୁ ‘ଅତି ଖରାପ’ ସ୍ତରରେ ରହିଛି।
ସୂଚନାଯୋଗ୍ୟ, ବାୟୁମାନ ସୂଚକାଙ୍କ ବା ଏକ୍ୟୁଆଇ ଶୂନରୁ ୫୦ ଭିତରେ ରହିଲେ ଉତ୍ତମ, ୫୧ରୁ ୧୦୦ ଭିତରେ ରହିଲେ ସନ୍ତୋଷଜନକ, ୧୦୧-୨୦୦ ଭିତରେ ରହିଲେ ମଧ୍ୟମ, ୨୦୧ରୁ ୩୦୦ ଭିତରେ ରହିଲେ ଖରାପ, ୩୦୧ରୁ ୪୦୦ ଭିତରେ ରହିଲେ ଅତି ଖରାପ ଏବଂ ୪୦୧ରୁ ୫୦୦ ଭିତରେ ରହିଲେ ସାଂଘାତିକ ବୋଲି ଧରାଯାଏ।

 

ସମ୍ବନ୍ଧିତ ଖବର