ଦିଲ୍ଲୀ ବାୟୁ ଗୁଣବତ୍ତା ‘ଅତି ଖରାପ’ ସ୍ତରରେ

ନୂଆଦିଲ୍ଲୀ : କିଛି ଦିନ ପୂର୍ବେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ସୁଧାର ଆସିଥିବାବେଳେ ଆଜି ଏହାର ସ୍ତର ପୁଣି ଖସି ଆସିଛି। ଏହାର ବାୟୁମାନ ସୂଚାଙ୍କ (ଏକ୍ୟୁଆଇ) ‘ଅତି ଖରାପ’ ସ୍ତରରେ ରହିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଦେଇଛି। କିଛି କିଛି ସ୍ଥାନରେ ଏହା ‘ଗୁରୁତର’ ସ୍ତରରେ ମଧ୍ୟ ରହିଛି। ଦିଲ୍ଲୀ ସମେତ ଭାରତର ଉତ୍ତର-ପଶ୍ଚିମ ଭାଗରେ ଏକ ଘୂର୍ଣ୍ଣିବଳୟ ଝଡ଼ ସୃଷ୍ଟି ହୋଇଥିବା ସାଟେଲାଇଟ୍‌ରୁ ଜଣାପଡ଼ିଛି।

ବୁଧବାର ପୂର୍ବାହ୍ନରେ ପୂର୍ବ ଦିଲ୍ଲୀର ଆନନ୍ଦ ବିହାରର ବାୟୁମାନ ସୂଚାଙ୍କ ୪୪୪ ରହିଥିବାବେଳେ, ଉତ୍ତର ଦିଲ୍ଲୀର ଅଶୋକ ବିହାରର ୩୫୬, ପୁରୁଣା ଦିଲ୍ଲୀର ଚାନ୍ଦିନୀ ଚୋକ୍‌ର ୪୩୮, ପଶ୍ଚିମ ଦିଲ୍ଲୀର ଦ୍ୱାରିକା ସେକ୍ଟର୍-୮ର ୪୩୩, କେନ୍ଦ୍ରୀୟ ଦିଲ୍ଲୀର ମନ୍ଦିର ମାର୍ଗର ୩୩୬, ଦକ୍ଷିଣ ପଶ୍ଚିମ ଦିଲ୍ଲୀର ବିମାନବନ୍ଦରର ୩୫୪, ଲୋଧି ରୋଡ୍‌ର ୨୮୬ ଏବଂ ଦକ୍ଷିଣ ଦିଲ୍ଲୀର ସିରି ଫୋର୍ଟର ୩୨୮ରହିଛି। ସିପିସିବି ଅନୁଯାୟୀ ବାୟୁମାନ ସୂଚାଙ୍କ ୦ରୁ ୫୦ ମଧ୍ୟରେ ‘ଭଲ’, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’, ୩୦୧ରୁ ୪୦୦ ‘ଅତି ଖରାପ’ ଏବଂ ୪୦୧ରୁ ୫୦୦କୁ ‘ଗୁରୁତର’ ସ୍ତର ଭାବରେ ବିବେଚନା କରାଯାଏ।

ସମ୍ବନ୍ଧିତ ଖବର