ନୂଆଦିଲ୍ଲୀ: ଦୀପାବଳିରେ ସୁପ୍ରିମ୍‌କୋର୍ଟଙ୍କ ବାଣ କଟକଣା ଅମାନ୍ୟ କରିବାର ଦୁଇଦିନ ପରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ‘ଗୁରୁତର’ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିସିବି) ଅନୁଯାୟୀ, ବିଷାକ୍ତ ଧୂଆଁ ଜାତୀୟ ରାଜଧାନୀକୁ ଘେରି ରହିଛି ଏବଂ ଅଧିକାଂଶ ଅଞ୍ଚଳରେ ବାୟୁମାନ ‘ଗୁରୁତର’ ଶ୍ରେଣୀରେ ରେକର୍ଡ କରାଯାଇଛି। ଆଜି ସକାଳ ୬ଟା ସୁଦ୍ଧା ବାୱାନାରେ ଏକ୍ୟୁଆଇ ୪୩୪, ଦ୍ୱାରକା ସେକ୍ଟର ୮ରେ ୪୦୪, ଆଇଟିଓରେ ୪୩୦, ମୁଣ୍ଡକାରେ ୪୧୮, ନରେଲାରେ ୪୧୮, ଓଖଲାରେ ୪୦୨ ଏବଂ ଉଭୟ ରୋହିଣୀ ଓ ଆରକେ ପୁରମ୍‌ରେ ୪୧୭ ରହିଥିଲା।

Advertisment

ସିପିସିବି ଅନୁଯାୟୀ, ସୋମବାର ଜାତୀୟ ରାଜଧାନୀର ସାମଗ୍ରିକ ଏକ୍ୟୁଆଇ ‘ଅତ୍ୟନ୍ତ ଖରାପ’ ବର୍ଗରେ ୩୫୮ ରେକର୍ଡ କରାଯାଇଛି। ଦିଲ୍ଲୀର ପଡ଼ୋଶୀ ସହର ନଏଡା ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ର ଗୁରୁଗ୍ରାମରେ ମଧ୍ୟ ସମାନ ସ୍ଥିତି ଥିଲା ଏବଂ ହାରାହାରି ଏକ୍ୟୁଆଇ ଯଥାକ୍ରମେ ୩୬୩ ଓ ୩୪୯ ରହିଥିଲା। ସୁପ୍ରିମକୋର୍ଟଙ୍କ କଟକଣା ସତ୍ତ୍ୱେ ଦୀପାବଳି ପାଳନ ସମୟରେ ବାଣ ଫୁଟାଇବା ଘଟଣାରେ ଦିଲ୍ଲୀ ପୁଲିସ ସୋମବାର ୯୭ଟି ମାମଲା ରୁଜୁ କରିଛି। ଯଥାକ୍ରମେ ୨୯ ଓ ୨୮ ମାମଲା ସହ ପୂର୍ବ ଦିଲ୍ଲୀ ଓ ସହରର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ସର୍ବାଧିକ ମାମଲା ରୁଜୁ ହୋଇଛି। ଦିଲ୍ଲୀର ରୋହିଣୀ ଏବଂ ବାହାର ଉତ୍ତର ଅଞ୍ଚଳରେ କୌଣସି ମାମଲା ରୁଜୁ ହୋଇନାହିଁ। ସୂଚନାଯୋଗ୍ୟ, ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ‘ଭଲ’, ୫୧ରୁ ୧୦୦ ଭିତରେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’, ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’, ୪୦୧ରୁ ୪୫୦ ‘ଗୁରୁତର’ ଏବଂ ୪୫୦ରୁ ଅଧିକ ‘ଅତି ଗୁରୁତର’ ବୋଲି ବିବେଚନା କରାଯାଏ।