ନୂଆଦିଲ୍ଲୀ: ଦେଶର ମେଡିକାଲ କଲେଜଗୁଡ଼ିକରେ ନାମ ଲେଖାଇବା ପାଇଁ ହୋଇଥିବା ଏନଟିଏ-ଏନଇଇଟି ( ନିଟ୍) ପରୀକ୍ଷାରେ ଓଡ଼ିଶାର ସୋଏବ ଆଫତାଵ ଟପ୍ପର ହୋଇଥିଲେ। ଗତକାଲି ନିଟ ପରୀକ୍ଷାର ଫଳାଫଳ ବାହାରିଥିବା ବେଳେ ସୋଏବ ଶୀର୍ଷରେ ଥିବା ଜଣା ପଡ଼ିଥିଲା | ସେ ପରୀକ୍ଷାରେ ଶତପ୍ରତିଶତ ନମ୍ବର (୭୨୦ରୁ ୭୨୦) ରଖି ଇତିହାସ ରଚିଥିଲେ। ତେବେ ସୋଏବଙ୍କ ଭଳି ଦିଲ୍ଲୀରେ ରହୁଥିବା ଆକାଂକ୍ଷା ସିଂଙ୍କର ମଧ୍ୟ ନିଟ ପରୀକ୍ଷାରେ ୭୨୦ରୁ ୭୨୦ ନମ୍ବର ଥିଲା, ମାତ୍ର ସେ ଟପ୍ପର ହୋଇପାରିନାହାନ୍ତି | ତାଙ୍କୁ ପରୀକ୍ଷାରେ ଦ୍ଵିତୀୟ ସ୍ଥାନ ମିଳିଛି |
ନିଟ ପରୀକ୍ଷା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ର ଟାଇ-ବ୍ରେକିଂ ନୀତି ପାଇଁ ଆକାଂକ୍ଷା ଟପ୍ପର ହୋଇପାରି ନଥିବା ଜଣା ପଡିଛି | ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ର ଟାଇ-ବ୍ରେକିଂ ନୀତି ଅନୁଯାୟୀ, ଯେତେବେଳେ ଦୁଇ ପରୀକ୍ଷାର୍ଥୀଙ୍କ ମାର୍କ ସମାନ ଥାଏ, ସେତେବେଳେ କାହାକୁ ଟପ୍ପର ଘୋଷଣା କରାଯିବ ସେ ନେଇ ଏନଟିଏ ନିଷ୍ପତ୍ତି ନିଏ | ସୋଏବ ଏବଂ ଆକାଂକ୍ଷାଙ୍କର ନମ୍ବର ସମାନ ଥିବା ବେଳେ ସୋଏବଙ୍କ ବୟସ ଅଧିକ ଥିବାରୁ ତାଙ୍କୁ ଏନଟିଏ ନୀତି ଅନୁଯାୟୀ ଟପ୍ପର ଘୋଷଣା କରାଯାଇଥିଲା। |

ଜଣେ ଅଧିକାରୀ କହିଛନ୍ତି ଯେ, ଓଡ଼ିଶାର ସୋଏବ ଆଫତାଵ ଏବଂ ଦିଲ୍ଲୀର ଆକାଂକ୍ଷା ସିଂ ୭୨୦ ନମ୍ବର ରଖିଥିଲେ ମଧ୍ୟ ସୋଏବ ବୟସ୍କ ହୋଇଥିବାରୁ ସେ ଜାତୀୟ ମାନ୍ୟତାରେ ଶୀର୍ଷରେ ରହିଛନ୍ତି। ଏନଟିଏ ଏଭଳି ସ୍ଥିତିରେ ପହଞ୍ଚିଲେ ଉଭୟ ପରୀକ୍ଷାର୍ଥୀଙ୍କ ବୟସ, ପ୍ରତ୍ୟକ ବିଷୟରେ ଥିବା ନମ୍ବର ଏବଂ ଭୁଲ ଉତ୍ତର ସଂଖ୍ୟାକୁ ଧ୍ୟାନରେ ରଖି ଟପ୍ପର ଘୋଷଣା କରିଥାଏ ବୋଲି ଅଧିକାରୀଜଣଙ୍କ କହିଛନ୍ତି |
ଏନଟିଏର ଟାଇ-ବ୍ରେକିଂ ନୀତିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରି ଅଧିକାରୀଜଣଙ୍କ କହିଛନ୍ତି ଯେ, ଜୀବବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ମିଳିଥିବା ନମ୍ବରକୁ ଆଧାର କରି ପରୀକ୍ଷାର୍ଥୀମାନଙ୍କ ରାଙ୍କିଙ୍ଗ କରାଯାଏ | କିନ୍ତୁ ଯଦି ଏହି ପରିସ୍ଥିତିରେ ଦୁଇ ପରୀକ୍ଷାର୍ଥୀଙ୍କ ନମ୍ବର ସମାନ ଆସେ ତେବେ ପ୍ରଶ୍ନର ଭୁଲ ଉତ୍ତରଗୁଡ଼ିକୁ ଧ୍ୟାନରେ ରଖି ରାଙ୍କିଙ୍ଗ କରାଯାଏ | ଏ ଦୁଇଟି ବାଟ ବନ୍ଦ ହେବା ପରେ ଦୁଇ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଯାହାର ବୟସ ଅଧିକ ହୋଇଥାଏ ତାକୁ ପ୍ରାଥମିକତା ଦିଆଯାଇଥାଏ |