ଦିଲ୍ଲୀରେ ୬୦ ବର୍ଷରେ ସବୁଠୁ ବଡ଼ ଭୂକମ୍ପ

ନେପାଳରେ ଭୂମିକମ୍ପ: ୬ ମୃତ, ଶତାଧିକ ଘର କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ: ଭୂକମ୍ପ ଝଟ୍‌କାରେ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତ ଆଜି ଥରି ଉଠିଛି। ଆଜି ଭୋର୍‌ ୧.୫୭ ସମୟରେ ଭୂକମ୍ପ ହୋଇଥିଲା। ଦିଲ୍ଲୀ ଏବଂ ପଡ଼ୋଶୀ ସହର ନଏଡ଼ା, ଗାଜିଆବାଦ, ଫରିଦାବାଦ ଓ ଗୁରୁଗ୍ରାମରେ ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ରହିଥିଲା। ନଏଡ଼ା‌ରେ ସୁଉଚ୍ଚ ଅଟ୍ଟାଳିକାରେ ରହୁଥିବା ଲୋକମାନେ ଭୂକମ୍ପ ଅନୁଭବ କରିବାପରେ ପ୍ରାଣ ବିକଳରେ ରାସ୍ତାକୁ ଦୌଡ଼ି ପଳାଇଥିଲେ। ତେବେ ଏହି ଭୂକମ୍ପ ଯୋଗୁଁ ଧନଜୀବନର କୌଣସି କ୍ଷୟକ୍ଷତି ନେଇ ରିପୋର୍ଟ ମିଳିନାହିଁ। ବୁଧବାର ଦିଲ୍ଲୀରେ ଯେଉଁ ଭୂକମ୍ପ ହୋଇଛି ରିଚର ସ୍କେଲ୍‌ରେ ତା’ର ତୀବ୍ରତା ୫.୭ ବୋଲି ଜଣାପଡ଼ିଛି। ଦୀର୍ଘ ୬୦ ବର୍ଷ ମଧ୍ୟରେ ଏହା ଦିଲ୍ଲୀରେ ସବୁଠୁ ବଡ଼ ଭୂକମ୍ପ। ଏହା ପୂର୍ବରୁ ୧୯୬୦ ଜୁଲାଇରେ ଶେଷ ଥର ପାଇଁ ଦିଲ୍ଲୀରେ ୫.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

କାଠମାଣ୍ଡୁ: ନେପାଳରେ ଆଜି ସକାଳେ ୬.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁ ଡୋଟି ଜିଲ୍ଲାରେ ଏକ ଘର ଭୁଶୁଡ଼ି ପଡ଼ିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଡୋଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଯୋଗୁ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି। ବୁଧବାର ଭୋର୍‌ ପ୍ରାୟ ୧.୫୭ ସମୟରେ ଭୂକମ୍ପ ହୋଇଥିଲା। ଜାତୀୟ ଭୂକମ୍ପ ଗ‌େବେଷଣା କେନ୍ଦ୍ର ରିପୋର୍ଟ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବୁଦ୍ଧକୋଟଠାରୁ ୩ କିମି ଦୂରରେ ରହିଥିଲା। ପାଞ୍ଚ ଘଣ୍ଟା ମଧ୍ୟରେ ନେପାଳରେ ୩ ଥର ଭୂକମ୍ପ ଆସଥିଲା। ମଙ୍ଗଳବାର ରାତି ଓ ବୁଧବାର ସକାଳେ ହୋଇଥିବା ଭୂକମ୍ପ ଯୋଗୁଁ ୩୦ରୁ ଅଧିକ ପାହାଡ଼ିଆ ଗ୍ରାମ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର