ଦିଲ୍ଲୀର ଗାର୍ଗୀ କଲେଜ ଛାତ୍ରୀଙ୍କ ଅଭିଯୋଗ: ଦଳେ ମଦ୍ୟପ ପଶି ସେମାନଙ୍କ ସହ ଅସଦାଚରଣ କରିଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀର ଗାର୍ଗୀ କଲେଜର ଛାତ୍ରୀମାନେ ଅଭିଯୋଗ କରିଛନ୍ତି କି, ଫେବ୍ରୁଆରି ୬ ତାରିଖ ଦିନ କଲେଜରେ ଉତ୍ସବ ଚାଲିଥିବା ବେଳେ ଦଳେ ମଦ୍ୟପ ପଶି ସେମାନଙ୍କ ସହ ଦୀର୍ଘ ସମୟ ଧରି ଅସଦାଚରଣ କରିଥିଲେ।

ଛାତ୍ରୀମାନେ ଅଭିଯୋଗ କରିଛନ୍ତି କି, ସେମାନେ ବାହାର ଲୋକ। କଲେଜ ମଧ୍ୟକୁ ବଳପୂର୍ବକ ପ୍ରବେଶ କରି ଛାତ୍ରୀମାନଙ୍କ ସହ ନାନଦି ଅସଦାଚରଣ କରିବା ସହ କେତେକଙ୍କ ସହିତ ଓ୍ଵାସ୍‌ରୁମ୍‌ରେ ମଧ୍ୟ ଦୁର୍ବ୍ୟବହାର କରିଥିଲେ।

କଲେଜରେ ତିନି ଧରି ଚାଲିଥିବା ‘ରିଭେରି’ ଉତ୍ସବ ସମୟରେ ଏଭଳି କାଣ୍ଡ ଘଟିଥିଲା। ଛାତ୍ରୀମାନେ ଅଭିଯୋଗ କରିଛନ୍ତି କି, କଲେଜ ନିକଟରେ ‘ସିଏଏ’କୁ ସମର୍ଥନ କରି ହେଉଥିବା ରାଲିରେ ଅଂଶଗ୍ରହଣ କରିଥିବା ଲୋକମାନେ କଲେଜ ମଧ୍ୟକୁ ପଶି ଛାତ୍ରୀମାନଙ୍କ ସହ ଅସଭ୍ୟ ବ୍ୟବହାର କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଏକ ପୋଷ୍ଟ୍‍ରେ ଗାର୍ଗୀ କଲେଜର ଛାତ୍ରୀମାନେ କହିଛନ୍ତି ଯେ ମଦ୍ୟପାନ କରିଥିବା ମଧ୍ୟ-ବୟସ୍କ ବ୍ୟକ୍ତିମାନେ ଆମ ସହ ନାନାଦି ଦୁର୍ବ୍ୟବହାର କରିଛନ୍ତି।

Image Source: Amar Ujala

ଏ ସଂକ୍ରାନ୍ତରେ ଗାର୍ଗୀ କଲେଜର କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରି ନାହାନ୍ତି। କଲେଜର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପ୍ରମିଳା କୁମାର କହିଛନ୍ତି, ଡିୟୁର କଲେଜମାନଙ୍କରେ ଅଧ୍ୟୟନରତ ଛାତ୍ରମାନଙ୍କ ଲାଗି କାର୍ଯ୍ୟକ୍ରମଟି ଉନ୍ମୁକ୍ତ ଥିଲା। କଲେଜ ପରିସର ମଧ୍ୟରେ ପୁଲିସ, କମାଣ୍ଡୋ ଏବଂ ବାଉନ୍‌ସର୍‌ ମୁତୟନ କରାଯାଇଥିଲେ। ଏହାଛଡ଼ା କଲେଜ କର୍ମଚାରୀମାନେ ମଧ୍ୟ ଡିୟୁଟିରେ ଥିଲେ। କଲେଜ ମଧ୍ୟରେ କେବଳ ଛାତ୍ରୀମାନଙ୍କ ଲାଗି ଏକ ରଙ୍ଗମଞ୍ଚ ଥିଲା। ଯଦି ଛାତ୍ରୀମାନେ ତା’ ବାହାରକୁ ଯାଇଥିବେ, ତେବେ ସେଇଟା ସେମାନଙ୍କ ନିଜ ଦାୟିତ୍ୱ।

ଟ୍ରକ୍‌ରେ ଆସିଥିବା ମଦ୍ୟପାନ କରିଥିବା ବ୍ୟକ୍ତିମାନେ ଅପରାହ୍ଣ ୪: ୩୦ରେ କଲେଜ ପରିସରରେ ପଶି ପ୍ରାୟ ରାତି ୯ଟା ଯାଏଁ ରହିଥିଲେ ବୋଲି ଜଣେ ଛାତ୍ର କହିଛନ୍ତି।

ଅନ୍ୟ ଜଣେ ଛାତ୍ର କହିଛନ୍ତି, ଅସଦାଚରଣ କଥା ମୁଁ କହିପାରିବିନି, କିନ୍ତୁ ଦଳେ ମଦ୍ୟପ ପଶି ଛାତ୍ରୀମାନଙ୍କୁ ହଇରାଣ କରିଥିଲେ। ଆମେ ଏ ବିଷୟରେ ଆଲୋଚନା କରି ପ୍ରତିବାଦ ଆରମ୍ଭ କରିବୁ।

ସମ୍ବନ୍ଧିତ ଖବର