ନୂଆଦିଲ୍ଲୀ: ସୋମବାର ଦିଲ୍ଲୀରେ ଚଳିତ ଋତୁର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଦିଲ୍ଲୀର ସଫଦରଜଙ୍ଗରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ସ୍ବାଭାବିକଠାରୁ ଏହା ୫.୧ ଡିଗ୍ରି ଅଧିକ ରହିଛି। ଆଇଏମ୍ଡି ( ଭାରତୀୟ ପାଣିପାଗ ବିଭାଗ) ଦ୍ବାରା ଚଳିତ ସପ୍ତାହରେ ଦିଲ୍ଲୀ ଏବଂ ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଭାରତର କିଛି ଅଂଶ ପାଇଁ ଗ୍ରୀଷ୍ମଲହରୀ ନେଇ ଆଲର୍ଟ ଜାରି ହୋଇଥିବା ବେଳେ ଦିଲ୍ଲୀରେ ସୋମବାର ଚଳିତ ଋତୁର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ପଲମରେ ତାପମାତ୍ରା ୩୯.୫ ଡିଗ୍ରି ସେଲସିୟସ ରହିଛି। ସ୍ବାଭାବିକଠାରୁ ଏହା ୪ ଡିଗ୍ରି ଅଧିକ ରହିଛି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ପାଇଁ ସୋମବାର ଏବଂ ମଙ୍ଗଳବାର ୟେଲୋ ଆଲର୍ଟ ଜାରି କରାଯାଇଛି। ବୁଧବାର ପର୍ଯ୍ୟନ୍ତ ଦିଲ୍ଲୀର କିଛି ଅଂଶରେ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା। ସର୍ବାଧିକ ତାପମାତ୍ରା ୪୦ରୁ ୪୨ ଡିଗ୍ରି ସେଲସିୟସ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି। ରବିବାର ସହରର ମୁଖ୍ୟ ପାଣିପାଗ କେନ୍ଦ୍ର ସଫଦରଜଙ୍ଗରେ ୩୮.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ସ୍ବାଭାବିକଠାରୁ ଏହା ୩ ଡିଗ୍ରି ଅଧିକ ଥିଲା। ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ୍ ଶ୍ରେଣୀରେ ରହିଛି। ଉତ୍ତର ଏବଂ କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମଲହରୀ ସ୍ଥିତି ଆଶା କରାଯାଉଛି। ହିମାଚଳପ୍ରଦେଶର କିଛି ଅଞ୍ଚଳ ମଧ୍ୟ ଏପ୍ରିଲ ୭ ତାରିଖରେ ପ୍ରଭାବିତ ହୋଇପାରେ। ସେହିପରି ହରିୟାଣା, ଚଣ୍ଡିଗଡ଼ ଏବଂ ପଂଜାବରେ ଏପ୍ରିଲ ୭ରୁ ୧୦ ତାରିଖ ମଧ୍ୟରେ ଗ୍ରୀଷ୍ମଲହରୀ ସ୍ଥିତି ଲାଗି ରହିପାରେ। ଉତ୍ତରପ୍ରଦେଶରେ ଏପ୍ରିଲ ୭ରୁ ୯ ଏବଂ ମଧ୍ୟପ୍ରଦେଶରେ ଏପ୍ରିଲ ୮ରୁ ୧୦ ତାରିଖ ମଧ୍ୟରେ ଗ୍ରୀଷ୍ମଲହରୀ ସ୍ଥିତି ଲାଗି ରହିପାରେ। ରାଜସ୍ଥାନ, ଗୁଜରାଟ, ଓଡ଼ିଶା ଏବଂ ମହାରାଷ୍ଟ୍ରରେ ପ୍ରାୟ ୨୧ଟି ସହରରେ ଆଗାମୀ ଦିନମାନଙ୍କରେ ଉଚ୍ଚ ତାପମାତ୍ରା ରେକର୍ଡ କରାଯିବ ବୋଲି ଆଶା କରାଯାଉଛି।