ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ବେଆଇନ ବସ୍ତି ଉଚ୍ଛେଦ ନିମନ୍ତେ ସମୟ ସୀମାକୁ ପୁଣି ତିନି ବର୍ଷ ବୃଦ୍ଧି କରାଯାଇଛି। ଏନେଇ ମଙ୍ଗଳବାର ସଂସଦରେ ବିଲ୍ ପାରିତ ହେବା ସହ ଗୃହୀତ ହୋଇଛି। ଦିଲ୍ଲୀ ଜାତୀୟ ରାଜଧାନୀ (ସ୍ବତନ୍ତ୍ର ବ୍ୟବସ୍ଥାପନ) ଦ୍ବିତୀୟ ସଂଶୋଧନ ଆଇନ, ଗତକାଲି ଲୋକସଭାରେ ପାରିତ ହୋଇଥିଲା। ଆଲୋଚନାରେ ତିନିଜଣ ସାଂସଦ ଭାଗ ନେଇଥିଲେ। ଏହାପରେ ମୌଖିକ ଭୋଟରେ ଏହା ଗୃହୀତ ହୋଇଥିଲା। ରାଜ୍ୟସଭାରେ ଏହି ବିଲ୍ ସମ୍ପର୍କିତ ଆଲୋଚନାରେ ଭାଗ ନେଇ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ପୂର୍ବରୁ ଏହି ବେଆଇନ ବସ୍ତି ସମସ୍ୟା ରହିଥିଲା।
ପୂର୍ବ ସରକାରଗୁଡ଼ିକର ଅବହେଳାପୂର୍ଣ୍ଣ ମନୋଭାବ ପାଇଁ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ। ୨୦୧୯ରୁ ଏନେଇ କାମ ଆରମ୍ଭ ହୋଇଥିଲା। ୨୦୨୦ ଓ ୨୦୨୧ରେ କରୋନା ସଂକ୍ରମଣ ଯୋଗୁଁ ଏନେଇ କୌଣସି କାର୍ଯ୍ୟ ହୋଇପାରିନଥିଲା। ବର୍ତମାନ ହୋଇଥିବା ଆକଳନରେ ଦିଲ୍ଲୀରେ ଥିବା ସମସ୍ତ ବେଆଇନ ବସ୍ତିରେ ୪୦ ଲକ୍ଷ ଲୋକ ରହୁଛନ୍ତି। ପ୍ରାୟ ୧୦ ଲକ୍ଷ ପରିବାର ମଧ୍ୟରୁ ୪ ଲକ୍ଷ ପରିବାରର ଚିହ୍ନଟ ଆଦି ପ୍ରକ୍ରିୟା ଶେଷ ହୋଇଛି।