ଦିଲ୍ଲୀରେ ସବୁଠୁ ବଡ଼ କୋଭିଡ୍‌ ସେଣ୍ଟର, ଚୀନ୍‌ର ସବୁଠୁ ବଡ଼ ହସ୍ପିଟାଲ୍‌ଠୁ ମଧ୍ୟ ୧୦ ଗୁଣା ବଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ଦେଶର ସବୁଠୁ ବଡ଼ କରୋନା ହସ୍ପିଟାଲ୍‌ ନିର୍ମାଣ ହେଉଛି। ଦକ୍ଷିଣ ଦିଲ୍ଲୀରେ କରୋନା ରୋଗୀମାନଙ୍କ ଚିକିତ୍ସା ପାଇଁ ରାଧାସ୍ବାମୀ ସତ୍‌ସଙ୍ଗ ପରିସରରେ ଏହି ଅସ୍ଥାୟୀ ହସ୍ପିଟାଲ୍‌ ନିର୍ମାଣ ହେଉଛି। ହସ୍ପିଟାଲ୍‌ରେ ଏକସଙ୍ଗେ ୧୦ ହଜାର ୨୦୦ ରୋଗୀ ଚିକିତ୍ସିତ ହୋଇପାରିବେ। ପ୍ର‌ାୟ ୧୫ଟି ଫୁଟବଲ୍‌ ଫିଲ୍ଡ ଆକାରର ଏହି ହସ୍ପିଟ‌ାଲ୍‌ର ନାମ ସର୍ଦ୍ଦାର କୋଭିଡ୍‌ କେୟାର ସେଣ୍ଟର ଆଣ୍ଡ୍‌ ହସ୍ପିଟାଲ୍‌ ରଖାଯାଇଛି । ଏହା ଚୀନ୍‌ର ଉହାନ୍‌ରେ ନିର୍ମାଣ ହୋଇଥିବା ସର୍ବବୃହତ୍‌ ଅସ୍ଥାୟୀ ହସ୍ପିଟାଲ୍‌ଠାରୁ ମଧ୍ୟ ୧୦ ଗୁଣା ବଡ଼। ଚୀନ୍‌ର ଏହି ଅସ୍ଥାୟୀ ହସ୍ପିଟାଲ୍‌ରେ ୧ ହଜାର ରୋଗୀ ଚିକିତ୍ସିତ ହେଉଥିବାବେଳେ ଦିଲ୍ଲୀରେ ନିର୍ମାଣ ହୋଇଥିବା ଏହି ଅସ୍ଥାୟୀ ହସ୍ପିଟାଲ୍‌ରେ ଏକସଙ୍ଗେ ୧୦ ହଜାର ରୋଗୀ ଚିକିତ୍ସିତ ହେବେ।

ଗୃହ ମନ୍ତ୍ରୀ ଅମିତ ଶାହ ହସ୍ପିଟାଲ୍‌ କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ଦିଲ୍ଲୀ ଉପରାଜ୍ୟପାଳ ଅନିଲ୍‌ ବୈଜଲଙ୍କ ସହ କଥା ହୋଇଥିଲେ। ତେବେ ଆସନ୍ତା ଗୁରୁବାର ଦିନ ଶାହ ଏହି ହସ୍ପିଟାଲ୍‌ ଗସ୍ତ କରିବେ ବୋଲି ଜଣାପଡ଼ିଛି। ପ୍ରଥମେ ୨୦୦୦ ବେଡ୍‌ ବ୍ୟବସ୍ଥା କରାଯିବ। ପରେ ଜୁଲାଇ ୩ ସୁଦ୍ଧା ୧୦ ହଜାର ବେଡ୍‌ ବ୍ୟବସ୍ଥା କରାଯିବ। ସେହିପରି କୋଭିଡ୍‌ ‌ସେଣ୍ଟରର ସ୍ବାସ୍ଥ୍ୟକର୍ମୀଙ୍କୁ ଆଇଟିବିପି ସହଯୋଗ କରିବ। ଏନେଇ ଶାହ କଥା ହୋଇଛନ୍ତି। ୧୦ ହଜାର ୨୦୦ ବେଡ୍‌ କାର୍ଯ୍ୟକ୍ଷମ କରିବା ପାଇଁ ଏହି ହସ୍ପିଟାଲ୍‌ରେ ୮୦୦ ଡାକ୍ତର ଏବଂ ୭୦ ବିଶେଷଜ୍ଞ ଡାକ୍ତରଙ୍କ ସହ ୧୪୦୦ ନର୍ସ‌୍ ନିଯୁକ୍ତ ହେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର