ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ମହିଳା ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରରେ ଜଣେ ମହିଳା ହାତରେ ଆପ୍ ମୁଖ୍ୟମନ୍ତ୍ରୀ ଭାର ଦେଇଥିବା ବେଳେ ନୂଆ ସରକାର ଆସିବା ପରେ ବି ଜଣେ ମହିଳାଙ୍କ ଉପରେ ପୁନଶ୍ଚ ଭରସା କରାଯାଇଛି । ଅରବିନ୍ଦ କେଜ୍ରିୱାଲଙ୍କ ପରେ ଆମ୍ ଆଦମୀ ସରକାରରେ ଆତିଶୀ ମାର୍ଲେନା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିବା ବେଳେ ଏବେ ବିଜେପି ସରକାରରେ ବି ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କୁ ମନୋନୀତ କରାଯାଇଛି ।

Advertisment

ତେବେ ଦିଲ୍ଲୀରେ ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ପୂର୍ବରୁ ସୁଷମା ସ୍ବରାଜ, ଶୀଲା ଦୀକ୍ଷିତ, ଆତିଶୀ ମାର୍ଲେନା ଥିବା ବେଳେ ଏବେ ଦିଲ୍ଲୀର ଦାୟିତ୍ବ ରେଖା ଗୁପ୍ତାଙ୍କ କାନ୍ଧରେ । ତେବେ ନଜର ପକାନ୍ତୁ ୪ ଜଣ ମହିଳା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କିଏ କେତେ ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ।

ସୁଷମା ସ୍ବରାଜ
ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ସୁଷମା ସ୍ବରାଜ । ରାଜ୍ୟର ଯଦିଓ ୫ମ ମୁଖ୍ୟମନ୍ତ୍ରୀ ମାତ୍ର ମହିଳା ଭାବେ ସେ ପ୍ରଥମ । ସୁଷମା ସ୍ବରାଜ ମାତ୍ର ୫୨ ଦିନ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ । ୧୨ ଅକ୍ଟୋବର ୧୯୯୮ରୁ ୩ ଡିସେମ୍ବର ୧୯୯୮ ମାତ୍ର ୫୨ ଦିନ ଯାଏଁ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ସୁଷମା । ସେବେଠୁ ଦିଲ୍ଲୀରେ ବିଜେପି ସରକାର ଗଢିନାହିଁ । ଆଉ ଏବେ ଦୀର୍ଘ ୨୭ ବର୍ଷ ପରେ ଅର୍ଥାତ ୨୦୨୫ରେ ହିଁ ପୁଣି ଥରେ ବିଜେପି ଦିଲ୍ଲୀରେ ସରକାର ଗଢିବା ପରେ ଫେବୃୟାରୀ ୨୦ରେ ହିଁ ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଶୀଲା ଦୀକ୍ଷିତ
ସବୁଠୁ ଦୀର୍ଘତମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀର ଶାସନ ଭାର ସମ୍ଭାଳିଥିଲେ ଶୀଲା ଦୀକ୍ଷିତ । କଂଗ୍ରେସ ସରକାରରେ ଶୀଲା ୧୫ ବର୍ଷ ୨୫ ଦିନ ଦିଲ୍ଲୀର ଦାୟିତ୍ବ ନେଇଥିଲେ । ୩ ଡିସେମ୍ବର ୧୯୯୮ରୁ ୨୮ ଡିସେମ୍ବର ୨୦୧୩ ଯାଏଁ ସେ ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶାସନ ଗାଦିରେ ବସିଛନ୍ତି । 

ଆତିଶୀ ମାର୍ଲେନା
ଅରବିନ୍ଦ କେଜ୍ରିୱାଲଙ୍କ ପରେ ଆତିଶୀ ମାର୍ଲେନାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଥିଲା ଆମ୍ ଆଦମୀ ପାର୍ଟି । ଆଉ ଆତିଶୀ ହୋଇଥିଲେ ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ । ଆତିଶୀ ୧୫୨ ଦିନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଭାର ସମ୍ଭାଳିଥିଲେ । ୨୧ ସେପ୍ଟେମ୍ବର ୨୦୨୪ରୁ ୨୦ ଫେବୃୟାରୀ ୨୦୨୫ ଯାଏଁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ।

ରେଖା ଗୁପ୍ତା
ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସାମ୍ନାକୁ ଆସିଛନ୍ତି ବିଜେପିର ରେଖା ଗୁପ୍ତା । ବିଜେପି ଦିଲ୍ଲୀରେ ୨୭ ବର୍ଷ ପରେ ସରକାର ଗଢିଥିବା ବେଳେ ରେଖା ଗୁପ୍ତା ସୁଷମା ସ୍ବରାଜଙ୍କ ପରେ ଭାରତୀୟ ଜନତା ପାର୍ଟିର ମହିଳା ମୁଖ୍ୟମନ୍ତ୍ରୀ । ୨୦ ଫେବୃୟାରୀ ୨୦୨୫ରୁ ତାଙ୍କ କାର୍ୟ୍ୟକାଳ ଆରମ୍ଭ ହୋଇଛି ।