ମୁମ୍ବାଇ: ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ଆଜି ଅପରାହ୍ନରେ ଅଭିଯୋଗ କରିଛନ୍ତି ଯେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆଜି ଭୋଟିଂ ବିଳମ୍ବ ହୋଇଛି। ନିର୍ବାଚନ କମିସନ୍‌ ଜାଣିଶୁଣି ନରେନ୍ଦ୍ର ମୋଦୀ ସରକାରଙ୍କ ପକ୍ଷରୁ ଏହି କାମ କରିଛନ୍ତି ବୋଲି ଠାକରେ ଅଭିଯୋଗ କରିଛନ୍ତି। ଉଦ୍ଧବ କହିଛନ୍ତି, ଯେଉଁସବୁ ଆସନ ଗୁଡ଼ିକରେ ତାଙ୍କ ଦଳ ଅଧିକ ଭୋଟ୍‌ ପାଇବ ବୋଲି ସେ ଆଶା କରୁଛନ୍ତି ସେହି ଆସନରେ ଭୋଟିଂ ବିଳମ୍ବ ହୋଇଛି । ଉଦ୍ଧବ ଠାକରେଙ୍କ ଏଭଳି ଅଭିଯୋଗ ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଉକ୍ତ ମାମଲାରେ ନିର୍ବାଚନ କମିସନ୍‌ (ଇସି)ଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଉଦ୍ଧବ କହିଛନ୍ତି, ମୁମ୍ବାଇରେ ସମସ୍ତ ୬ ଲୋକସଭା ଆସନରେ ଆଜି ଭୋଟ୍‌ ଥିଲା।

Advertisment

ଭୋଟରମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିଲା। କିନ୍ତୁ ନିର୍ବାଚନ କମିସନଙ୍କ ଦ୍ବାରା ଏଠାରେ ଡାର୍ଟି ଗେମ୍‌ ଖେଳାଯାଇଛି। ଏହି ସବୁ ଅଞ୍ଚଳ ଗୁଡ଼ିକରେ ନିର୍ବାଚନ କମିସନ୍‌ଙ୍କ ପ୍ରତିନିଧିଙ୍କ ବିଳମ୍ବ ଯୋଗୁଁ ଭୋଟିଂ ପ୍ରକ୍ରିୟାରେ ବିଳମ୍ବ ହୋଇଛି ବୋଲି ଠାକ୍‌ରେ ଅଭିଯୋଗ କରିଛନ୍ତି। ଅନେକ ଭୋଟିଂ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଅଧିକାରୀମାନେ ନାଁକୁ ଅନେକ ଥର କ୍ରସ୍‌ ଚେକ୍‌ କରି ବିଳମ୍ବ କରିଛନ୍ତି। ମହିଳା ଏବଂ ବୟସ୍କ ଲୋକମାନେ ‌ଭୋଟିଂ ବୁଥ୍‌ରେ ଅନେକ ସମସ୍ୟା ସାମ୍ନା କରିଛନ୍ତି ବୋଲି ଠାକ୍‌ରେ ଦାବି କରିଛନ୍ତି। ଅନେକ ଭୋଟିଂ ବୁଥ୍‌ରେ ପିଇବାପାଇଁ ପାଣି ବି ନାହିଁ ବୋଲି ଠାକ୍‌‌ରେ ଅଭିଯୋଗ କରିଛନ୍ତି। ତେବେ ନିର୍ବ‌ାଚନ ଅଧିକାରୀଙ୍କ ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ମହାରାଷ୍ଟ୍ରର ୧୩ ଲୋକସଭା ଆସନରେ ମତଦାନ ପ୍ରତିଶତ ୪୮.୬୬ ପ୍ରତିଶତ ଥିଲା।