ଚଳନ୍ତା ରେଳଗାଡ଼ିରେ ପ୍ରସବ: ସାହାଯ୍ୟ କଲେ ମେଡିକାଲ ଛାତ୍ରୀ, ମାଆ-ଝିଅ ସୁସ୍ଥ

ବିଶାଖାପାଟଣା: ଜଣେ ଶେଷ ବର୍ଷର ମେଡ଼ିକାଲ ଛାତ୍ରୀ ଚଳନ୍ତା ଟ୍ରେନ୍‌ରେ ଗର୍ଭବେଦନା ପାଉଥିବା ଜଣେ ମହିଳାଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ସନ୍ତାନ ପ୍ରସବ କରାଇଛନ୍ତି। ମାଆ ଓ ନବଜାତ ଶିଶୁକନ୍ୟା ଉଭୟ ସୁସ୍ଥ ଥିବା ଜଣାପଡ଼ିଛି। ଉଭୟ ସିକନ୍ଦରାବାଦ-ବିଶାଖାପାଟଣା ଦୁରନ୍ତୋ ଏକ୍ସପ୍ରେସ୍‌ରେ ଯାଉଥିବା ବେଳେ ଗର୍ଭବତୀ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା।

ରିପୋର୍ଟ ଅନୁସାରେ, ମେଡିକାଲ ଛାତ୍ରୀ କେ ସ୍ବାତୀ ରେଡ୍ଡୀ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ନରସାରାଓପେଟର ବାସିନ୍ଦା। ସେ ଗୀତମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍‌ର ଶେଷ ବର୍ଷର ଏମ୍‌ବିବିଏସ୍ ଛାତ୍ରୀ। ୨୮ ବର୍ଷୀୟା ଗର୍ଭବତୀ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହ ଟ୍ରେନ୍‌ରେ ଶ୍ରୀକାକୁଲମ୍ ଯାଉଥିଲେ। ରାତି ପ୍ରାୟ ସାଢ଼େ ୩ଟା ବେଳେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେଲା। ତେଣୁ ସ୍ବାତୀ ନିଷ୍ପତ୍ତି ନେଲେ ସେ ମହିଳାଙ୍କୁ ଏ ବିପଦରୁ ରକ୍ଷା କରିବେ। ସେ ପ୍ରଥମେ ଭୟ କରୁଥିଲେ, କାରଣ ଆଗରୁ ସେ କେବେ କାହାରି ପ୍ରସବ କରାଇ ନାହାନ୍ତି, ସେ କେବଳ ହସ୍ପିଟାଲରେ ପ୍ରଫେସରଙ୍କୁ ସାହାଯ୍ୟ କରିଛନ୍ତି। ତଥାପି ଅନ୍ୟ ଉପାୟ ନ ଥିବାରୁ ସେ ନିଜର ସେତିକି ଅଭିଜ୍ଞତାକୁ ସମ୍ବଳ କରି ପ୍ରସବ କରାଇଥିଲେ। ସନ୍ତାନ ଜନ୍ମ ହୋଇସାରିବା ପରେ ସେ ଆଶ୍ବସ୍ତ ହୋଇଥିଲେ। ଭୋର ୫ଟା ୩୫ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ସେତେବେଳକୁ ଟ୍ରେନ୍ ଆନ୍ନାବରମ୍ ନିକଟରେ ପହଞ୍ଚିଯାଇଥିଲା। ସ୍ବାତୀ ଜଣାଇଲେ ଯେ ନବଜାତକର ଉଷୁମ ଦରକାର କିନ୍ତୁ ଟ୍ରେନ୍‌ର ବଗିଟି ଥିଲା ବାତାନୁକୂଳିତ।

ଏଥିରେ ଯାତ୍ରୀମାନେ ସାହାଯ୍ୟ କଲେ ଏବଂ ପିଲାକୁ ଘୋଡ଼େଇବାକୁ ନିଜର କମ୍ବଳ ଦେଇଦେଲେ। ସେମାନେ ଅନ୍ୟତ୍ର ଚାଲିଯାଇ ବଗିର ସେହି ଅଂଶଟିକୁ ଏକ ଅସ୍ଥାୟୀ ପ୍ରସବ ଗୃହରେ ପରିଣତ କରିଦେଲେ। ଦେଢ଼ଘଣ୍ଟା ପରେ ଟ୍ରେନ୍‌ଟି ଆନାକାପାଲ୍ଲି ଷ୍ଟେସନରେ ପହଞ୍ଚିବା ପରେ ମାଆ-ଛୁଆଙ୍କୁ ଆମ୍ବୁଲାନ୍ସ ଯୋଗେ ଏନ୍‌ଟିଆର୍ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସ୍ବାତୀ ବି ସେମାନଙ୍କ ସହ ଯାଇ ଡାକ୍ତରଙ୍କୁ ସବୁକଥା ଜଣାଇ ଶିଶୁଟି ଅପରିପକ୍ବ ଅବସ୍ଥାରେ ଜନ୍ମ ହୋଇଥିବାରୁ ତାକୁ ତୁରନ୍ତ ଇନ୍‌କ୍ୟୁବେଟରରେ ରଖିବାର ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧିତ ଖବର