ନୂଆଦିଲ୍ଲୀ : ଦୀର୍ଘ ୨ ମାସରୁ ଊର୍ଦ୍ଧ୍ବ ସମୟ ପରେ ଭାରତରେ କୋଭିଡ୍ ସକ୍ରିୟ ମାମଲା ପ୍ରଥମ ଥର ପାଇଁ ୯ ଲକ୍ଷରୁ କମ୍ ରହିଛି। ଦେଶରେ ଏବେ ୮.୬୫ ଲକ୍ଷ ସକ୍ରିୟ ମାମଲା ରହିଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ଦେଶରେ ୬୨,୨୦୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨,୫୪୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୯୬,୩୩,୧୦୫ ପହଞ୍ଚିଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୩,୭୯,୫୭୩କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଆରୋଗ୍ୟ ହାର ୯୫.୮୦ ପ୍ରତିଶତ ଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହିଛି। ଦେଶରେ ଏବେ ସାପ୍ତାହିକ ପଜିଟିଭ୍ ହାର ୪.୧୭ ପ୍ରତିଶତ ରହିଛି। ଅନ୍ୟପକ୍ଷେ ଦୈନିକ ପଜିଟିଭ୍ ହାର ୩.୨୨ ପ୍ରତିଶତରେ ପହଞ୍ଚିଛି। ଲଗାତାର ୯ ଦିନ ଧରି ଦେଶରେ ଦୈନିକ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ୍ରୁ ଡିସଚାର୍ଜ ହୋଇଛନ୍ତି।
ଦେଶରେ ମୋଟ୍ ୨୬,୧୯,୭୨,୦୧୪ ଜଣଙ୍କୁ ଟିକା ଦିଆସରିଛି। ଗତ ୨୪ ଘଣ୍ଟାରେ ୨୮,୦୦,୪୫୮ ଜଣ ଟିକା ନେଇଛନ୍ତି। ସଂକ୍ରମଣ କମୁଥିବା ବେଳେ ଦେଶ ଏବେ ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛି। ବିଭିନ୍ନ ରାଜ୍ୟରେ ଏନେଇ ପଦକ୍ଷେପ ଗ୍ରହଣ ହୋଇଛି। ଅନ୍ୟପକ୍ଷେ ଭାରତ ଏବଂ ବ୍ରିଟେନ୍ ପରେ ଏବେ ଡେଲ୍ଟା ପ୍ରଜାତି ଆମେରିକାରେ ଉଦ୍ବେଗ ସୃଷ୍ଟି କରିଛି। ଆମେରିକାରେ ନୂଆ ସଂକ୍ରମଣର ପ୍ରାୟ ୧୦ ପ୍ରତିଶତ ଡେଲ୍ଟା ପ୍ରଜାତି ରହିଥିବାରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିବା ପାଇଁ ରୋଗ ନିୟନ୍ତ୍ରଣ ଓ ଭେଷଜ ପ୍ରଶାସନ ବିଭାଗ ପରାମର୍ଶ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/corona-delta-1.jpg)