ଳଣ୍ଡନ: ମଡର୍ଣ୍ଣାର ମୁଖ୍ୟ ମେଡିକାଲ ଅଫିସର ଡ. ପଲ ବର୍ଟନ ବ୍ରିଟିଶ ପାର୍ଲାମେଣ୍ଟରେ ଏକ କୋଭିଡ୍ର ଏକ ଭୟାନକ ଚିତ୍ର ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ବ୍ରିଟେନରେ ଡେଲ୍ଟା ସହ ଓମିକ୍ରନ୍ ଯେପରି ବ୍ୟାପୁଛି, ଏହା ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ଡେଲ୍ଟା ଓ ଓମିକ୍ରନ୍ ମିଶି ଏକ ସୁପର ଷ୍ଟ୍ରେନ୍ ସୃଷ୍ଟି କରିପାରନ୍ତି, ଯାହା ଡେଲ୍ଟା ପରି ମାରାତ୍ମକ ଓ ଓମିକ୍ରନ୍ ପରି ବ୍ୟାପକ ସଂକ୍ରମଣଶୀଳ ହୋଇଥିବ। ନୂଆ ଭାରିଆଣ୍ଟ ଓମିକ୍ରନ୍ର ଉଦ୍ଭବ ପରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କର ଏ ପ୍ରକାର ଚେତାବନୀ ବିଶ୍ବବ୍ୟାପୀ ଉଦ୍ବେଗ ସୃଷ୍ଟି କରିଛି। ଆଫ୍ରିକାରୁ ଆବିଷ୍କୃତ ହେବା ପରେ ଏହା ଆମେରିକା ପରି ଦେଶରେ ଡେଲ୍ଟାକୁ ପଛରେ ପକାଇ ସବୁଠାରୁ ପ୍ରଭାବଶାଳୀ ଷ୍ଟ୍ରେନ୍ରେ ପରିଣତ ହୋଇଛି। କିନ୍ତୁ ଏ ଦୁଇଟା ଭାରିଆଣ୍ଟ ମିଳିତ ହୋଇ ତୃତୀୟ ମାରାତ୍ମକ ସୁପର ଭାରିଆଣ୍ଟ ସୃଷ୍ଟି କରିପାରନ୍ତି କି ବୋଲି ପ୍ରଶ୍ନରେ ମଡର୍ଣ୍ଣାର ମୁଖ୍ୟ ଡ. ବର୍ଟନ ଏହା ସମ୍ଭବ ବୋଲି କହିଛନ୍ତି। ଚଳିତ ସପ୍ତାହ ପ୍ରାରମ୍ଭରେ ବ୍ରିଟିଶ ପାର୍ଲାମେଣ୍ଟର ବିଜ୍ଞାନ ଓ ପ୍ରଯୁକ୍ତି କମିଟି ଆଗରେ ଡ. ବର୍ଟନ କହିଥିଲେ ଯେ, ଯଦି ଜଣେ ଲୋକ ଏକକାଳୀନ ଡେଲ୍ଟା ଓ ଓମିକ୍ରନ୍ ଉଭୟ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୁଏ, ତେବେ ଦୁଇଟା ଯାକ ଭାରିଆଣ୍ଟ ମିଶି ଏକ ତୃତୀୟ ସୁପର ଭାରିଆଣ୍ଟ ସୃଷ୍ଟି କରିପାରନ୍ତି। ଦେଶରେ ଉଭୟ ପ୍ରଜାତି ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଅସମ୍ଭବ ନୁହେଁ ବୋଲି ଡ. ପଲ ବର୍ଟନ କହିଥିଲେ।
ଡେଲ୍ଟା-ଓମିକ୍ରନ୍ ମିଶି ସୁପର ଷ୍ଟ୍ରେନ୍ ସୃଷ୍ଟି ହୋଇପାରେ: ବିଶେଷଜ୍ଞ
/sambad/media/post_attachments/wp-content/uploads/2021/12/omicorn-virus.jpg)