୪ ରାଜ୍ୟରେ ଡେଲ୍‌ଟା ପ୍ଲସ୍‌ ପ୍ରଜାତି, ୯ ଦେଶରେ ଡେଲ୍‌ଟା ପ୍ଲସ୍‌ ଭୂତାଣୁ ମିଳିଲାଣି

ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ଲହର ଦୁର୍ବଳ ହୋଇଥିଲେ ସୁଦ୍ଧା ଏବେ ଏକ ନୂଆ ଚିନ୍ତା ପ୍ରକଟ ହୋଇଛି। ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଏହି ଚିନ୍ତା ବଢ଼ାଇଛି। ୪ଟି ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଏବଂ କର୍ଣ୍ଣାଟକ‌ରେ ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଚିହ୍ନଟ ହୋଇଛି। ନୂଆକରି ଚିହ୍ନଟ ହୋ‌ଇଥିବା ଏହି ଡେଲ୍‌ଟା ପ୍ଲସ୍‌ ପ୍ରଜାତିର ୨୦୦ ଟି ମାମଲା ସମଗ୍ର ବିଶ୍ବରେ ଚିହ୍ନଟ ହୋଇଥିବାବେଳେ ଭାରତରେ ଏହି ସଂଖ୍ୟା ୩୦ ରହିଥିବା ଜଣାପଡ଼ିଛି। କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ୨୨ଟି ଡେଲ୍‌ଟା ପ୍ଲସ୍‌ ମାମଲା ରହିଛି। ସରକାରୀ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରର ରତ୍ନଗିରି ଏବଂ ଜଲ୍‌ଗାଓଁ , କେରଳ ଏବଂ ମଧ୍ୟପ୍ରଦେଶର କିଛି ଅଂଶରୁ ଏହି ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ୯ଟି ଦେଶ ତଥା ଭାରତ ସମେତ ଆମେରିକା‌, ବ୍ରିଟେନ୍‌, ପର୍ତ୍ତୁଗାଲ୍‌, ସ୍ବିଜରଲାଣ୍ଡ୍‌, ଜାପାନ , ପୋଲାଣ୍ଡ୍‌, ରୁଷ୍‌, ଚୀନ୍‌ରେ ଏହି ପ୍ରଜାତି ଚିହ୍ନଟ ହୋଇଛି। ଡେଲ୍‌ଟା ପ୍ରଜାତିର ରୂପାନ୍ତରିତ ରୂପ ଡେଲ୍‌ଟା ପ୍ଲସ୍ ତଥା ଏୱାଇ.୦୧ ପାଇଁ ଆଗାମୀ ମାସରେ ତୃତୀୟ ଲହର ଆସିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଡେଲ୍‌ଟା ପ୍ଲସ୍‌ ପ୍ରଜାତିର ଭୂତାଣୁକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଏକ ଚିନ୍ତାଜନକ ପ୍ରଜାତି ଭାବେ ଘୋଷଣା କରିଛି। ଏହି ଭୂତାଣୁ ବାହାରିଥିବା ରାଜ୍ୟମାନଙ୍କୁ ସତର୍କ କରାଯାଇଛି। ଯେଉଁ ଜିଲ୍ଲାମାନଙ୍କରେ ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି ସେଠାରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବା ସହ ଅବରୋଧ ଅଞ୍ଚଳ କରିବାକୁ କୁହାଯାଇଛି।

ମଧ୍ୟପ୍ରଦେଶର ଭୋପାଳରେ ଦେଶର ପ୍ରଥମ ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଥିଲା। ଜଣେ ୬୪ ବର୍ଷୀୟା ମହିଳା ସଂକ୍ରମିତ ହୋଇଥିଲେ। ତେବେ ସେ ଗୃହ ସଙ୍ଗରୋଧରେ ରହି ସୁସ୍ଥ ହୋଇଥିଲେ। ଏହାପରେ ଅନ୍ୟ ୪ଟି ମାମଲା ଚିହ୍ନଟ ହୋଇଥିଲା‌। ଏଥିରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି ବୋଲି ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରଭୁରାମ ଚୌଧୁରୀ କହିଛନ୍ତି। ମହାରାଷ୍ଟ୍ରରେ ଜୁନ୍ ୨୨ ସୁଦ୍ଧା‌ ୨୧ ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି। ଏଥି ମଧ୍ୟରୁ ୯ଟି ମାମଲା ରତ୍ନଗିରିରେ ଥିବାବେଳେ ଜଲ୍‌ଗାଓଁରେ ୭ଟି, ଥାନେରେ ୨ଟି ଏବଂ ମୁମ୍ବାଇ, ପଲ୍‌ଘର ଏବଂ ସିନ୍ଧୁଦୁର୍ଗ ଜିଲ୍ଲାମାନଙ୍କରେ ଗୋଟିଏ ଲେଖାଏଁ ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି। ସେହିପରି କେରଳର ପଲକ୍କଡ଼ ଏବଂ ପଥନମଥିତ୍ତ ଜିଲ୍ଲାରେ ୨ଟି ମାମଲା ଚିହ୍ନଟ ହୋଇଛି। ଏଥିରେ ଜଣେ ୪ ବର୍ଷର ଶିଶୁ ରହିଛି। କର୍ଣ୍ଣାଟକରେ ମଧ୍ୟ ୨ଟି ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର