ଆମେରିକାରେ ଡେଲ୍‌ଟା ଆତଙ୍କ: ଲକ୍ଷେ ତଳକୁ ଖସୁନି ଦୈନିକ ସଂକ୍ରମଣ, ‌ବୁଷ୍ଟର ଡୋଜ୍‌କୁ ମଞ୍ଜୁରି

ୱାସିଂଟନ୍‌ : ସର୍ବା‌ଧିକ ସଂକ୍ରାମକ ଡେଲ୍‌ଟା ପ୍ରଜାତି ପାଇଁ ଆମେରିକାରେ ଭୟଙ୍କର ସ୍ଥିତି ଉପୁଜିଛି। ଆମେରିକାରେ ଦୈନିକ ସଂକ୍ରମଣ ମାମଲା ‌ଏବେ ୧୦ ଦିନ ହେଲା ୧ ଲକ୍ଷରୁ ଅଧିକ ରହୁଥିବାରୁ ସ୍ବାସ୍ଥ୍ୟସେବାରେ ସଙ୍କଟ ଦେଖାଦେଇଛି। ଜୁନ୍‌ ତୁଳନାରେ ଦୈନିକ ସଂକ୍ରମଣ ମାମଲା‌ରେ ୧୦ ଗୁଣା ବୃଦ୍ଧି ଘଟିବା ଆମେରିକା ପ୍ରଶାସନ ପାଇଁ ଘୋର ଚିନ୍ତାର କାରଣ ହୋଇଛି।

ଗୁରୁବାର ୧ ଲକ୍ଷ ୩୨ ହଜାର ନୂତନ ସଂକ୍ରମଣ ମାମଲା ଚିହ୍ନଟ ହେବାପରେ ଶୁକ୍ରବାର ସରକାର ବୁଷ୍ଟର୍‌ ଡୋଜ୍‌କୁ ମଂଜୁରି ଦେଇଛନ୍ତି। ଦେଶର ୯୦ ପ୍ରତିଶତ ଅଂଚଳରେ ସଂକ୍ରମଣ ବଢ଼ୁଛି ଏବଂ ସରକାର ନୂଆ କଟକଣା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆମେରିକାରେ ସମସ୍ତ ନୂଆ ମାମଲାର କାରଣ ଡେଲ୍‌ଟା ବୋଲି ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) କହିଛି। ରିପୋର୍ଟ ଅନୁସାରେ, ହସ୍ପିଟାଲରେ ପ୍ରତିଦିନ ପ୍ରାୟ ୧୨ ହଜାର କୋଭିଡ୍‌ ରୋଗୀ ଭର୍ତ୍ତି ହେଉଛନ୍ତି। ଶିଶୁଙ୍କ ପାଇଁ ମଧ୍ୟ କୋଭିଡ୍‌ ଆଇସିୟୁ ବେଡ୍‌ ଅଭାବ ଦେଖାଦେଇଛି।

ଆମେରିକା ସହ ବ୍ରିଟେନ୍‌, ରୁଷ୍‌ ଏବଂ ଜର୍ମାନୀରେ ମଧ୍ୟ ଡେଲ୍‌ଟା ପାଇଁ ଭୟଙ୍କର ଭାବେ ସଂକ୍ରମଣ ବଢ଼ୁଛି। ବ୍ରିଟେନ୍‌ରେ ମଧ୍ୟ ସମସ୍ତ ନୂଆ ମାମଲାର କାରଣ ଡେଲ୍‌ଟା। ଆମେରିକା ଏବେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ନେଉଛି।

ବିଶ୍ବରେ ଏବେ କରୋନା ସଂକ୍ରମଣର ମୋଟ ମାମଲା ୨୦.୬୧ କୋଟି ଅତିକ୍ରମ କରିଗଲାଣି ଏବଂ ଏହି ମହାମାରୀରେ ୪୩.୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହେଲାଣି। ବିଶ୍ବବ୍ୟାପୀ ଏବେ ୧.୬୭ କୋଟି ରୋଗୀଙ୍କ ଚିକିତ୍ସା ଜାରି ରହିଛି ଏବଂ ସେମାନଙ୍କ ମଧ୍ୟରେ ୧.୦୨ ଲକ୍ଷ ରୋଗୀଙ୍କ ସ୍ଥିତି ସଙ୍କଟାପନ୍ନ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର