ପରିବାର ଭିତରେ ହିଁ ବେଶି ବ୍ୟାପୁଛି ଡେଲ୍‌ଟା ପ୍ରଜାତି ସଂକ୍ରମଣ: ସର୍ବେକ୍ଷଣ

ହାଇଦ୍ରାବାଦ: କୋଭିଡ୍‌-୧୯ର ଚଳିତ ଦ୍ବିତୀୟ ଲହର ସଂକ୍ରମଣ ବେଳେ ପୂର୍ବ ଲହର ତୁଳନାରେ ପରିବାରମାନଙ୍କରେ ହିଁ ଏକାଧିକ ସଂକ୍ରମିତ ବାହାରୁଥିବା ଜଣାଯାଇଛି। ତେବେ ଏହାର କାରଣ ଖୋଜିବା ପାଇଁ ୟୁକେ ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗ ଚଳାଇଥିବା ସର୍ବେକ୍ଷଣରୁ ସମସ୍ତଙ୍କୁ ଚକିତ କଲା ଭଳି ନିର୍ଯାସ ମିଳିଛି। ଏହି ସର୍ବେକ୍ଷଣରେ ଇଂଲଣ୍ଡରେ ପ୍ରଥମେ ଆବିର୍ଭୂତ ଆଲ୍‌ଫା ପ୍ରଜାତି କରୋନାଭୂତାଣୁ(ବି.୧.୧.୭)ର ସଂକ୍ରମଣ ସହ ଭାରତରେ ପ୍ରଥମେ ଠାବ ହୋଇଥିବା ଡେଲ୍‌ଟା ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ (ବି.୧.୬୧୭.୨)ର ସଂକ୍ରମଣକୁ ତୁଳନା କରାଯାଇଥିଲା। ଏଥିରୁ ଡେଲ୍‌ଟା ପ୍ରଜାତି ହିଁ ପରିବାର ଭିତରେ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବା ସ୍ପଷ୍ଟ ହୋଇଛି। ଆଲ୍‌ଫା ପ୍ରଜାତି ଅପେକ୍ଷା ଏହା ୬୪ ପ୍ରତିଶତ ଅଧିକ ସଂକ୍ରମଣ କରୁଥିବା ୟୁକେର ଗବେଷକମାନେ କହିଛନ୍ତି। ତେବେ ଟିକାକରଣ ପ୍ରଭାବ ଯୋଗୁଁ ଜଣେ ପୀଡ଼ିତ ସାଂଘାତିକ ହେବାରୁ ବର୍ତ୍ତିଯାଇପାରୁଥିବା ସେମାନେ କହିଛନ୍ତି।

ସୂଚନା ଥାଉ କି, ସମ୍ପ୍ରତି ଭାରତରେ ଜାରି ରହିଥିବା ଦ୍ବିତୀୟ ଲହର ସଂକ୍ରମଣ ଅବସରରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଆଦି ଦକ୍ଷିଣ ଭାରତୀୟ ରାଜ୍ୟ ସମେତ ଦେଶର ବିଭିନ୍ନ ସ୍ଥାନରେ ସଂକ୍ରମଣର ଅତିଶୟତାକୁ ଏହି ଡେଲ୍‌ଟା ପ୍ରଜାତି ବଢ଼ାଇଥିବା ଜଣାଯାଇଛି। ଏହି ପ୍ରଜାତି ମୂଳ ଭୂତାଣୁ ଠାରୁ ଅଧିକ କ୍ଷିପ୍ର ହେବା ସହ ଏପରିକି ଭାରତ ବାହାରେ ମଧ୍ୟ ୟୁକେ ପରି ଅନ୍ୟ କିଛି ଦେଶରେ ଦ୍ବିତୀୟ ଲହର ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ ବୋଲି ଜଣାଯାଇଛି। ଅନ୍ୟ ପ୍ରଜାତିର ରୂପାନ୍ତରିତ ଭୂତାଣୁଗୁଡ଼ିକ ସାଧାରଣତଃ ଗୋଟିଏ ପରିବାରର ଜଣକୁ ସଂକ୍ରମିତ କରିଥିବା ବେଳେ ଡେଲ୍‌ଟା ପ୍ରଜାତି ଏକାଧିକ ସଦସ୍ୟଙ୍କୁ ପ୍ରଭାବିତ କରୁଛି।

ସମ୍ବନ୍ଧିତ ଖବର