ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନ କରିବା ପାଇଁ ଆଜି ଲୋକସଭାରେ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡା ଦାବି କରିଛନ୍ତି। ଲୋକସଭାରେ ନିୟମ ୩୭୭ ଅଧୀନରେ ଏହି ପ୍ରସଙ୍ଗକୁ ଉଠାଇଥିଲେ। ସେ କହିଥିଲେ, ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ବିକାଶ ଦିଗରେ ଦୋମୁହାଁ ନୀତି ଆପଣାଉଛନ୍ତି। ପଶ୍ଚିମ ଓଡ଼ିଶାରେ ହ‌ାଇକୋର୍ଟର ବେଞ୍ଚ ନ ଥିବାରୁ ଆବେଦନକାରୀମାନେ ୪୦୦-୫୦୦ କିଲୋମିଟର ଅତିକ୍ରମ କରି ଓଡ଼ିଶା ହାଇକୋର୍ଟ, କଟକକୁ ଯାଉଛନ୍ତି।

Advertisment

ଲୋକମାନଙ୍କୁ ଏଥିରେ କଠିନ ସମସ୍ୟାର ସମ୍ମୁଖୀନ ହେବା ସହିତ ସେମାନଙ୍କ ଉପରେ ଆର୍ଥିକ ବୋଝ ପଡ଼ୁଛି। ଏସବୁ କାରଣରୁ ଅନେକ ଲୋକ ହାଇକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇପାରୁନାହାନ୍ତି। ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସ୍ଥାନ ଚିହ୍ନଟ କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସାଂସଦ ଶ୍ରୀ ପଣ୍ଡା ଅନୁରୋଧ କରିଥିଲେ। ସେ ପୁଣି କହିଥିଲେ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲାର ବୋଝ କମ୍ କରିବା ପାଇଁ ପଶ୍ଚିମ ଓଡ଼ିଶାରେ ବେଞ୍ଚ ଶୀଘ୍ର ସ୍ଥାପନ କରାଯାଉ ଯାହା ଦ୍ବାରା ପଶ୍ଚିମ ଓଡ଼ିଶାବାସୀଙ୍କୁ ଏହାର ଫାଇଦା ମିଳିପାରିବ।