ଯାଜପୁର ରୋଡ ରେଳ ଡିଭିଜନ୍‌ ପାଇଁ ଭର୍ତ୍ତୃହରିଙ୍କ ଦାବି

ନୂଆଦିଲ୍ଲୀ : ଯାଜପୁର ‌ରୋଡକୁ ରେଳ ଡିଭିଜନ ଘୋଷଣା ପାଇଁ ମଙ୍ଗଳବାର ଦିନ ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଦାବି କରିଛନ୍ତି।‌ ଆଜି ଲୋକସଭାରେ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେବା ଅବସରରେ ସେ ଏହି ଦାବି ଉଠାଇଥିଲେ। ଶ୍ରୀ ମହତାବ କହିଲେ, ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଓ ରାୟଗଡ଼ାରେ ‌ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିସାରିଛନ୍ତି। ଏହା ସହ ଯାଜପୁର ରୋଡକୁ ରେଳ ଡିଭିଜନ ଘୋଷଣା କରାଯାଉ ବୋଲି ସେ ଦାବି କରିଥିଲେ। ପ୍ରାଦେଶିକ ସୀମା ମଧ୍ୟରେ ନୂଆ ରେଳ ଜୋନ୍‌ ଘୋଷଣା କରିବାକୁ କେନ୍ଦ୍ର ସରକାର ନୂଆ ନୀତି କରିଛିନ୍ତି। ସଂପୃକ୍ତ ରାଜ୍ୟର ସମସ୍ତ ରେଳ ଟ୍ରାକଗୁଡ଼ିକୁ ସୀମାଙ୍କନ କରି ଗୋଟିଏ ରେଳ ଜୋନ୍‌ରେ ପରିଣତ କରିବା ସହ କାହିଁକି ଡିଭିଜନ୍‌ ଘୋଷଣା କରାଯାଇପାରିବ ନାହିଁ ବୋଲି ମହତାବ ପ୍ରଶ୍ନ କରିଥିଲେ।

ସେ କହିଲେ, ଓଡ଼ିଶାର ଶିଖ ସଂପ୍ରଦାୟ ଲୋକେ ବହୁ ସମୟରେ ଅମୃତସର ଯାତ୍ରା କରିଥାନ୍ତି। ଦିଲ୍ଲୀ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଟ୍ରେନ୍‌କୁ ଅମୃତସର ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ ଶ୍ରୀ ମହତାବ ଦାବି କରିଥିଲେ। ଚଳିତ ରେଳ ବଜେଟ୍‌ରେ ଓଡ଼ିଶାକୁ ଅଧିକ ବଜେଟ୍‌ ସହାୟତା ମିଳିଛି। ତେବେ ଏହାକୁ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି। ଆଲୋଚନା ଅବସରରେ ଶ୍ରୀ ମହତାବ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ। ସେ କହିଲେ, ଓଡ଼ିଶାରୁ ନିର୍ବାଚିତ ହୋଇ ରେଳମନ୍ତ୍ରୀ ଇତିହାସ ସୃଷ୍ଟି କରିଛନ୍ତି। ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ଓଡ଼ିଶାରୁ ନିର୍ବାଚିତ ଜଣେ ସାଂସଦ ରେଳମନ୍ତ୍ରୀ ଦାୟିତ୍ବ ନେଇଛନ୍ତି। ଓଡ଼ିଶା ତାଙ୍କର କର୍ମସ୍ଥଳ ଥିଲା। ଓଡ଼ିଶାର କୋଣ ଅନୁକୋଣ ସହ ସେ ଅବଗତ। ଓଡ଼ିଶା ରେଳ ଭିତ୍ତିଭୂମିରେ କାହିଁକି ଅବ‌ହେଳିତ ତାହା ମଧ୍ୟ ସେ ଜାଣିଛନ୍ତି। ରେଳମନ୍ତ୍ରୀଙ୍କ ନେତୃତ୍ବରେ ସବୁ କିଛି ସମ୍ଭବ ବୋଲି ତାଙ୍କର ହୃଦ୍‌ବୋଧ ହୋଇଛି। ବାଲେଶ୍ବର ଜିଲ୍ଲା ନୀଳଗିରିକୁ ଟ୍ରେନ ‌ଗଡ଼ିବା ଏହାର ଏକ ଉଦାହରଣ ବୋଲି ଶ୍ରୀ ମହତାବ କହିଥିଲେ।

ସମ୍ବନ୍ଧିତ ଖବର