ପ୍ରିୟଙ୍କାଙ୍କୁ ସଭାପତି କରିବାକୁ କଂଗ୍ରେସ ଚିନ୍ତନ ବୈଠକରେ ଦାବି

ନୂଆଦିଲ୍ଲୀ : ରାଜସ୍ଥାନର ଉଦୟପୁରଠାରେ ଚାଲିଥିବା କଂଗ୍ରେସ ଚିନ୍ତନ ଶିବିରରେ ବରିଷ୍ଠ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି  ଭଦ୍ରାଙ୍କୁ ଦଳର ସଭାପତି କରିବାକୁ ଦାବି ଉଠିଛି । ଖୋଦ ସୋନିଆ ଗାନ୍ଧି, ରାହୁଲ ଓ ପ୍ରିୟଙ୍କାଙ୍କ ଉପସ୍ଥିତିରେ କେତେକ ନେତା ଏହି ଦାବି ଉଠାଇଛନ୍ତି ।

ଶନିବାର ଦିନ ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ କହିଛନ୍ତି ଯେ ପ୍ରିୟଙ୍କା ଦଳର ସବୁଠାରୁ ଲୋକପ୍ରିୟ ଚେହେରା । ଏଣୁ ତାଙ୍କୁ ଦଳର ସଭାପତି କରାଯିବା ଉଚିତ ।

ଗତ ଦୁଇ ବର୍ଷ ହେଲା ରାହୁଲ ଗାନ୍ଧିଙ୍କୁ ସଭାପତି ପଦକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । କିନ୍ତୁ ଯଦି ସେ ରାଜି ହେଉନାହାନ୍ତି, ପ୍ରିୟଙ୍କାଙ୍କୁ ଦଳର ସଭାପତି କରାଯିବା ଉଚିତ । ସେ ଖୋଦ ସୋନିଆ ଗାନ୍ଧି ଓ ପ୍ରିୟଙ୍କାଙ୍କ ଉପସ୍ଥିତିରେ ଏହା ଦାବି ଉଠାଇଥିଲେ । କିନ୍ତୁ ଉଊୟ ଏ ସଂପର୍କରେ କୌଣସି ମନ୍ତବ୍ୟ ଦେଇନଥିଲେ ।

ଅନ୍ୟପକ୍ଷରେ କଂଗ୍ରେସ ସଂସଦୀୟ ବୋର୍ଡର ପୁନର୍ଗଠନ କରିବାକୁ ଦଳରେ ଉଠିଥିବା ଦାବିକୁ ଦଳ ଗ୍ରହଣ କରିଛି । କିନ୍ତୁ କଂଗ୍ରେସ ଓ୍ବାର୍କିଂ କମିଟି ଦ୍ବାରା ଏହି ପ୍ରସ୍ତାବ ମଂଜୁର ହେବା ପରେ ହିଁ କାର୍ଯ୍ୟକାରୀ ହୋଇପାରିବ । କଂଗ୍ରେସ ସଂସଦୀୟ ବୋର୍ଡ ବିଭିନ୍ନ ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିଥାଏ ।  ତେବେ ଗାନ୍ଧି ପରିବାରର କେତେକ ବିଶ୍ବସ୍ତ ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି ।

 

ସମ୍ବନ୍ଧିତ ଖବର