ନୂଆଦିଲ୍ଲୀ : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)କୁ ଆସାମର କୋକ୍ରାଝରରେ ଥିବା ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି (ସିଆଇଟି) ଶୈଳୀରେ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନ (ସିଏଫ୍ଟିଆଇ)ରେ ପରିଣତ କରାଯାଉ। ଆଜି ରାଜ୍ୟସଭାରେ ଏହି ଦାବି କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ରାଜ୍ୟସଭା ଶୂନ୍ୟକାଳରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଶ୍ରୀ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ।
ସେ କହିଲେ, ଶିକ୍ଷା ମନ୍ତ୍ରାଳୟକୁ ଅନେକ ଥର ଭିସୁଟ୍କୁ ସିଏଫ୍ଟିଆଇକୁ ଉନ୍ନୀତ କରିବା ପାଇଁ ଅନୁରୋଧ କରାଯାଇଛି। ରାଜ୍ୟ ସରକାର ମଧ୍ୟ ଏହାର ‘ଅପଗ୍ରେଡେସନ୍’ ପାଇଁ ସୁପାରିସ କରିଛନ୍ତି। ୧୯୫୬ରେ ୟୁସିଇ ନାମରେ ଏହି ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଥିଲା। ରାଜ୍ୟ ସରକାର ୨୦୦୯ରେ ଏହାକୁ ଭିସୁଟ ନାମରେ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରିଥିଲେ। ବର୍ତ୍ତମାନ ଭିସୁଟରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ଅନୁଷ୍ଠାନରୁ ଶିକ୍ଷାପ୍ରାପ୍ତ ୩୦ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଦେଶବିଦେଶରେ ବିଭିନ୍ନ ପଦପଦବିରେ ଅବସ୍ଥାପିତ ହୋଇଥିବା ଶ୍ରୀ ଆଚାର୍ଯ୍ୟ କହିଥିଲେ।