ନୂଆଦିଲ୍ଲୀ : ଜାନୁଆରି ୨୬ ତାରିଖରେ ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବର ଅନେକ ନୂଆ କାର୍ଯ୍ୟକ୍ରମ ରହିଛି। ଚଳିତ ଥର ସପ୍ତାହବ୍ୟାପୀ ସାଧାରଣତନ୍ତ୍ର ଉତ୍ସବ ପାଳନ ହେବ। ଜାନୁଆରି ୨୩ ତାରିଖ ‌ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ଜନ୍ମ ତିଥିରେ ସାଧାରଣତନ୍ତ୍ର ଉତ୍ସବ ଆରମ୍ଭ ହୋଇ ଜାନୁଆରି ୩୦ ତାରିଖ ସହିଦ ଦିବସରେ ଏହା ଶେଷ ହେବ। ଚଳିତ ଥର ସାଧାରଣତନ୍ତ୍ର ଦିବସ ଉତ୍ସବ ପାଇଁ ରିକ୍ସା ଚାଳକ ଏବଂ ପରିବ‌ା ଦୋକାନୀଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇଛି। ପରେଡ୍‌ ସମୟରେ ସେମାନେ ମୁଖ୍ୟ ମଞ୍ଚର ସାମ୍ନା ଧାଡ଼ିରେ ବସିବେ।

Advertisment

ସେହିପରି ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣରେ ସହଯୋଗ କରିଥିବା କର୍ମୀ ତଥା ଶ୍ରମଜୀବୀଙ୍କୁ ମଧ୍ୟ ସ୍ବତନ୍ତ୍ର ନିମନ୍ତ୍ରଣ କରାରାଇଛି। ଚଳିତ ବର୍ଷ ଉତ୍ସବର ଥିମ୍‌ ହେଉଛି, ‘ସାଧାରଣ ଲୋକଙ୍କ ଅଂଶଗ୍ରହଣ’। ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ୍‌ ସିସି ଏଥର ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ। ପ୍ରଥମ ଥର ପାଇଁ କର୍ତ୍ତବ୍ୟପଥରେ ସାଧାରଣତନ୍ତ୍ର ଦିବସ ପରେଡ୍‌ ହେବ। ରାଜପଥର ନାମ ପରିବର୍ତ୍ତନ କରି କର୍ତ୍ତବ୍ୟପଥ ହେବାପରେ ଏଠାରେ ଏହା ପ୍ରଥମ ସାଧାରଣତନ୍ତ୍ର ଦିବସ ପରେଡ୍‌। ପରେଡ୍‌ ପାଇଁ ସିଟ୍‌ ସଂଖ୍ୟା ୪୫,୦୦୦କୁ କମାଯାଇଛି। ଚଳିତଥର ମୋଟ୍‌ ସିଟ୍‌ର ୧୦ ପ୍ରତିଶତ ସର୍ବସାଧାରଣଙ୍କ ପାଇଁ ଅନଲାଇନରେ ବିକ୍ରି ହେଉଛି। ଏଥର ପରେଡ୍‌ ବିଭିନ୍ନ ଦୃଷ୍ଟିରୁ ସ୍ବତନ୍ତ୍ର ହେବ। ପ୍ରଥମ ଥର ପାଇଁ ୯ଟି ରାଫେଲ ସମେତ ୫୦ଟି ଯୁଦ୍ଧ ବିମାନ ଉଡ଼ାଣ କୌଶଳ ଦେଖାଇବେ।