ନୂଆଦିଲ୍ଲୀ: ଇଞ୍ଜିନିୟରିଂ, ମେଡିକାଲ ସମେତ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗତ କିଛିବର୍ଷ ହେଲା ରାଜସ୍ଥାନର କୋଟା ଏକ ପ୍ରମୁଖ ସ୍ଥାନରେ ପରିଣତ ହୋଇଛି। ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କର ସୁଅ ସେଠାକୁ ଛୁଟୁଥିବା ଦେଖିବାକୁ ମିଳୁଛି। ସେଠାରେ ଥିବା କୋଚିଂ ପ୍ରତିଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ସଫଳତା ଦେବାରେ ମଧ୍ୟ ସହାୟକ ହେଉଛନ୍ତି। କିନ୍ତୁ ସେଠାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଚିନ୍ତାର ବିଷୟ ପାଲଟିଛି। ଚାପ ଏହାର ଏକ କାରଣ ବୋଲି କୁହାଯାଉଛି।
ଲୋକନୀତି-ସେଣ୍ଟର ଫର୍ ଦ ଷ୍ଟଡି ଅଫ୍ ଡେଭଲପିଂ ସୋସାଇଟି (ସିଏସ୍ଡିଏସ୍) ପକ୍ଷରୁ ହୋଇଥିବା ଏକ ସର୍ଭେରୁ କୋଟାରେ ଅଧ୍ୟକ୍ଷନରତ ଛାତ୍ରଛାତ୍ରୀଙ୍କ ସଂପର୍କରେ ଅନେକ ତଥ୍ୟ ସାମ୍ନାକୁ ଆଣିଛି। ପ୍ରତ୍ୟେକଦିନ ୮୫ ପ୍ରତିଶତ ଛାତ୍ରଛାତ୍ରୀ କୋଚିଂ ପ୍ରତିଷ୍ଠାନରେ ୬ରୁ ୭ ଘଣ୍ଟା ବିତାଉଛନ୍ତି। ଜେଇଇ ଓ ନିଟ୍ ପାଇଁ ପ୍ରସ୍ତୁତ ହୋଉଥିବା ୮୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ୬ରୁ ୭ ଘଣ୍ଟା କୋଚିଂ ସେଣ୍ଟରରେ କଟାଉଥିବାବେଳେ ଅନ୍ୟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୬୩ ପ୍ରତିଶତ ଛାତ୍ରଛାତ୍ରୀ ଉପରୋକ୍ତ ମାତ୍ରାର ସମୟ କୋଚିଂ ପ୍ରତିଷ୍ଠାନରେ ବିତାଉଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଓ ପ୍ରଦର୍ଶନକୁ ମାପିବା ପାଇଁ ଅଧିକାଂଶ କୋଚିଂ ପ୍ରତିଷ୍ଠାନ ସପ୍ତାହକୁ ଥରେ ପରୀକ୍ଷା କରୁଛନ୍ତି। ଯଦିଓ ଏହା ପିଲାଙ୍କ ଉପରେ ଚାପ ସୃଷ୍ଟି କରୁଛି ତଥାପି ଏହା ସେମାନଙ୍କୁ ସହାୟକ ହେଉଛି ବୋଲି ୫୪ ପ୍ରତିଶତ ଛାତ୍ରଛାତ୍ରୀ ମତ ଦେଇଛନ୍ତି।
ଏଥିସହିତ କୋଟାରେ କିଛି ଛାତ୍ର ବର୍ଷେ ଏବଂ ଅନ୍ୟ କିଛି ଛାତ୍ର ୨ ବର୍ଷ ପର୍ଯ୍ୟନ୍ତ ରହୁଛନ୍ତି। ସେମାନେ ଅଧିକ ସମୟ ବାହାରେ ରହିବା ଫଳରେ ଘରକଥା ସେମାନଙ୍କର ଅଧିକ ମାତ୍ରାରେ ମନେ ପଡ଼ୁଛି। ଏଥିସହିତ ସେମାନେ କୋଟାରେ ସଙ୍ଗହୀନ ଜୀବନ ବିତାଉଛନ୍ତି ବୋଲି ମଧ୍ୟ କିଛି ଛାତ୍ରଛାତ୍ରୀ ମତ ଦେଇଛନ୍ତି। ପାଠ ପଢ଼ିବା ପାଇଁ ଅଧିକ ସମୟ ବିତାଇବା ସହିତ ଘରଠାରୁ ଦୂରରେ ଏକାକୀ ରହିବା ଛଡ଼ା ସେମାନେ ଆଉ କେତେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଜାତି, ଆର୍ଥିକ ସ୍ଥିତି, ଧାର୍ମିକ ପରିଚୟ ଆଦି କାରଣରୁ ସେମାନେ ଅନେକ ପ୍ରକାର ଆକ୍ଷେପର ମଧ୍ୟ ଶିକାର ହେଉଛନ୍ତି। ଏପରିକି ଶିକ୍ଷା କ୍ଷେତ୍ରରେ ସେମାନଙ୍କର ପ୍ରଦର୍ଶନ କାରଣରୁ ମଧ୍ୟ ଆକ୍ଷେପର ଶିକାର ହେବାକୁ ପଡ଼ୁଛି ବୋଲି କିଛି ଛାତ୍ର ମତ ଦେଇଛନ୍ତି।
ଏସବୁ ଚାପରୁ ଦୂରେଇ ରହିବା ପାଇଁ ୬୮ ପ୍ରତିଶତ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ କଥା ହୋଇଥାନ୍ତି। ଏଥିସହିତ କିଛି ଛାତ୍ର ସାମାଜିକ ଗଣମାଧ୍ୟମ କିମ୍ବା ବନ୍ଧୁବାନ୍ଧବଙ୍କୁ ଭେଟିବାରେ ସମୟ ବିତାଉଛନ୍ତି। କେବଳ ୨୬ ପ୍ରତିଶତ ଛାତ୍ରଛାତ୍ରୀ ଧ୍ୟାନ କିମ୍ବା ବ୍ୟାୟାମ ଆଦି କରି ଜୀବନରେ ସନ୍ତୁଳନ ରକ୍ଷା କରୁଛନ୍ତି। କୋଟାକୁ ଯିବା ପରେ ଛାତ୍ରଛାତ୍ରୀଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସୁଛି। ପ୍ରାୟ ୫୦ ପ୍ରତିଶତ ଛାତ୍ରଛାତ୍ରୀ ରାତିରେ ବିଳମ୍ବରେ ଶୋଉଛନ୍ତି। କିନ୍ତୁ ୩୨ ପ୍ରତିଶତ କୁହନ୍ତି ସେମାନେ ପୂର୍ବାପେକ୍ଷା ଶୀଘ୍ର ଉଠୁଛନ୍ତି। ପଢ଼ାରେ ଅଧିକ ସମୟ ଦେବାପାଇଁ ସେମାନେ କମ୍ ଶୋଉଛନ୍ତି ବୋଲି ମତ ଦେଇଛନ୍ତି। ୫୯ ପ୍ରତିଶତ ଛାତ୍ରଛାତ୍ରୀ କହିଛନ୍ତି ପୂର୍ବାପେକ୍ଷା ସେମାନେ ପଢ଼ାପଢ଼ିରେ ଅଧିକ ସମୟ ଦେଉଛନ୍ତି। ୪୭ ପ୍ରତିଶତ ଛାତ୍ରଛାତ୍ରୀ କହିଛନ୍ତି, କୋଟାକୁ ଆସିବା ପରେ ସେମାନଙ୍କ ଖାଇବା ହ୍ରାସ ପାଇଛି।