ମଠ, ମନ୍ଦିର ଉଚ୍ଛେଦ ମାମଲା : ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପାଇଁ ପରାମର୍ଶ

ନୂଆଦିଲ୍ଲୀ : ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୭୫ ମିଟର ପରିଧିରେ ଥିବା ଐତିହ୍ୟ ସମ୍ପନ୍ନ ମଠ, ମନ୍ଦିର ଗୁଡ଼ିକର ଉଚ୍ଛେଦ ପ୍ରସଙ୍ଗକୁ ନେଇ ଆଜି ସର୍ବୋଚ୍ଚ ଅଦାଲତ ଅସ‌ନ୍ତୋଷ ପ୍ରକାଶ କରିଛନ୍ତି। କହିଛନ୍ତି ଯେ ପୁରାତନ ମଠ ଓ ମନ୍ଦିର ଗୁଡ଼ିକ ବହୁତ ଗୁରୁତ୍ବ ବହନ କରେ। ୪୦୦-୫୦୦ ବର୍ଷର ପ୍ରାଚୀନ ମଠଗୁଡ଼ିକୁ ଏଭଳି ଭାବେ ଉଚ୍ଛେଦ କରାଯାଇ ପାରିବ ନାହିଁ। ରାଜ୍ୟକୁ ପ୍ରାଚୀନ ଓ ଐତିହ୍ୟ ସମ୍ପନ୍ନ ମଠ, ମନ୍ଦିର ଗୁଡ଼ିକ ସୁରକ୍ଷିତ ରଖିବାକୁ ପଡ଼ିବ। ଐତିହାସିକ ସ୍ଥଳ ଗୁଡ଼ିକର ସଂରକ୍ଷଣ କରାଯିବା ଦରକାର। ଛୋଟ ମନ୍ଦିର ଓ ମଠ ଶହ ଶହ ବର୍ଷ ଧରି ଅନେକ ଲୋକଙ୍କୁ ଜୀବିକା ପ୍ରଦାନ କରିଆସୁଛି। ତେଣୁ ମଠ ମନ୍ଦିର ଗୁଡ଼ିକର ଉଚ୍ଛେଦ କରିବା ପୂର୍ବରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଅନ୍ୟ ବରିଷ୍ଠ ପୁରୋହିତ ତଥା ପ୍ରଭାବିତ ହିତାଧିକାରୀମାନଙ୍କ ସହିତ ବିଚାର ଆଲୋଚନା କରିବା ପାଇଁ ଆଜି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।।

ବିଚାରପତି ଅରୁଣ ମିଶ୍ର, ବିଚାରପତି ବିନୀତ ଶରଣ ଓ ବିଚାରପତି ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ମାମଲାର ଶୁଣାଣି ହୋଇଥିଲା। ଏହି ମାମଲାରେ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ଅତିରିକ୍ତ ସତ୍ୟପାଠ ଆଧାରରେ ଆଜି ଖଣ୍ଡପୀଠ ଏଭଳି ଅସନ୍ତୋଷ ଝା଼ଡିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉଚ୍ଛେଦ ପ୍ରସଙ୍ଗ ଉଦାହରଣ ଦେଇ ବାରାଣସୀରେ ସବୁକିଛି ବ୍ୟବସ୍ଥିତ ରୂପେ କରାଯାଇଥିବା ଖଣ୍ଡପୀଠ କହିଥିଲେ। ମଠ ମନ୍ଦିର ଗୁଡ଼ିକର ବିନା ସହମତିରେ ଉଚ୍ଛେଦ କରାଯାଇଛି ଏବଂ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦିଆଯାଇନି। ପ୍ରଭାବିତ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ କହିଛନ୍ତି। ଆବଶ୍ୟକସ୍ଥଳେ ଉଚ୍ଚ ସ୍ତରୀୟ କମିଟି ଗଠନ କରିବା ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ପୁରୀରେ ହୋଇଥିବା ଉଚ୍ଛେଦର ଷ୍ଟାଟସ୍ ରିପୋର୍ଟ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ଅକ୍ଟୋବର ୨୨ରେ ମାମଲାର ବିସ୍ତୃତ ଶୁଣାଣି ପାଇଁ ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଛନ୍ତି।

ଆଜି ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା କହିଥିଲେ ଯେ ସହମତି ନିଆଯିବା ପରେ ମଠଗୁଡ଼ିକର ଉଚ୍ଛେଦ କରାଯାଇଥିଲା ଏବଂ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇଛି। ଆଇନ ଅନୁଯାୟୀ ଉଚ୍ଛେଦ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଥିବା ଆଡଭୋକେଟ୍ ଜେନେରାଲ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଆମିକସ କ୍ୟୁରି ରଣଜିତ କୁମାରଙ୍କ ଦ୍ବାରା ମଠଗୁଡ଼ିକର ଉଚ୍ଛେଦ କରାଯିବା ପ୍ରସଙ୍ଗରେ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ମଧ୍ୟ ଦାବି କରାଯାଇଥିଲା।

 

ଶୁଣାଣି ସମୟରେ ଖଣ୍ଡପୀଠ ପୁଣି କହିଥିଲେ‌ ଯେଉଁ ମଠରେ ଶିଖ୍ ଗୁରୁ ନାନକ ଦେବ ରହୁଥିଲେ, ତାହା ଉଚ୍ଛେଦ କରାଯାଇ ପାରିବ ନାହିଁ। ଅନ୍ୟପକ୍ଷରେ ମଙ୍ଗୁ ମଠର ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଆବେଦନ କରାଯାଇଥିବା ବେଳେ ସୁପ୍ରିମକୋର୍ଟ ଏନେଇ କୌଣସି ଆଦେଶ ଜାରି କରିନାହାନ୍ତି। ଗତ ମାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ପତ୍ର ଲେଖି ମଙ୍ଗୁ ମଠ ଉଚ୍ଛେଦ ନକରିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ସୁପ୍ରିମକୋର୍ଟରେ ମଙ୍ଗୁମଠର ସ୍ଥିତାବସ୍ଥା ବଜାୟ ରଖିବାପାଇଁ ଆବେଦନ କରାଯାଇଥିଲା।

ସମ୍ବନ୍ଧିତ ଖବର