ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାକରଣକୁ ବର୍ଷେ ପୂରିଲା। ଏହି ଅବସରରେ ଶାସକ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପକ୍ଷରୁ ନଭେମ୍ବର ୮କୁ କଳାଧନ ବିରୋଧୀ ଦିବସ ଭାବେ ପାଳନ କରଯାଉଥିବା ବେଳେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳମାନେ ଏହାକୁ କଳାଦିବସ ପାଳନ କରୁଛନ୍ତି। ତେବେ ଏହାକୁ ନେଇ ରାଜନୈତିକ ନେତାମାନେ ପରସ୍ପରକୁ କାଦୁଅ ଫିଙ୍ଗିବା ଆରମ୍ଭ କରିଛନ୍ତି। ନିର୍ବାଚନ ପ୍ରଚାର ପାଇଁ ଆଜି ଗୁଜରାଟ ଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ବିମୁଦ୍ରାକରଣକୁ ଏକ ସଂଗଠିତ ଲୁଣ୍ଠନ ଏବଂ ‘ଆଇନସମ୍ମତ’ ତ୍ରୁଟି ବୋଲି ଆକ୍ଷେପ କରିଛନ୍ତି। ଅପରପକ୍ଷେ, ସାମ୍ପ୍ରତିକ ସ୍ଥିତିରେ ତାହା ଏକ ନୈତିକ ପଦକ୍ଷେପ ଥିଲା, ଯାହା ଫଳରେ ଦୁର୍ନୀତି କରିବାକୁ ବାଟ ମିଳିଲାନି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି। ଦୀର୍ଘ ଦଶ ବର୍ଷ ଧରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ହିଁ ସଂଗଠିତ ଲୁଣ୍ଠନ କରିଥିଲା ବୋଲି ସେ ପାଲଟା ଆକ୍ରମଣ କରିଛନ୍ତି।

Advertisment

ଆଜି ଅହମଦାବାଦ ଠାରେ ବ୍ୟବସାୟୀମାନଙ୍କୁ ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ଉଦ୍‌ବୋଧନ ଦେବାକୁ ଯାଇ ଡ. ସିଂହ ବିମୁଦ୍ରାକରଣର କୁପ୍ରଭାବ ସମ୍ପର୍କରେ କହିଥିଲେ। ତାହା ମୋଦି ସରକାରଙ୍କର ଏକ ଦାୟିତ୍ୱହୀନ ପଦକ୍ଷେପ ବୋଲି ଦର୍ଶାଇ ଡ. ସିଂହ ଉଚ୍ଚ ମୂଲ୍ୟର ନୋଟ୍‌ଗୁଡ଼ିକୁ ଏପରି ଅଚଳ କରିଦେବାଟା ସଂଗଠିତ ଲୁଟ୍‌ ବୋଲି କହିଥିଲେ। ଏହା ସରକାରଙ୍କର ସବୁଠୁ ବଡ଼ ଭୁଲ। ବିମୁଦ୍ରାକରଣକୁ ସାଧାରଣ ଜନତାଙ୍କ ଉପରେ ଜୋରଜବରଦସ୍ତି ଲଦି ଦିଆଯାଇଥିଲା। ନଭେମ୍ବର ୮ ଦେଶର ଅର୍ଥ ବ୍ୟବସ୍ଥା ପାଇଁ କଳାଦିନ ହୋଇଥିବା ବେଳେ ଗଣତନ୍ତ୍ର ପାଇଁ ମଧ୍ୟ କଳାଦିନ ବୋଲି ମନମୋହନ କହିଛନ୍ତି।

ସେହିପରି ସରକାର ତରବରିଆ ଭାବେ ଲାଗୁ କରିଥିବା ଜିଏସ୍‌ଟି ନିୟମକୁ ମଧ୍ୟ ଡ. ସିଂହ କଡ଼ା ସମାଲୋଚନା କରି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଏହା ଏକ ଦୁଃସ୍ୱପ୍ନ ପାଲଟିଛି ବୋଲି କହିଥିଲେ। ଅପରପକ୍ଷେ, ଏଭଳି ଟ୍ୟାକ୍ସ ବା କର ଆତଙ୍କ ଭାରତୀୟ ବ୍ୟବସାୟୀଙ୍କୁ ପୁଞ୍ଜି ଖଟାଇବା ପ୍ରତି ବିମୁଖ କରିଛି। ଆମ ଅର୍ଥନୀତି ପାଇଁ ବିମୁଦ୍ରାକରଣ ଓ ଜିଏସ୍‌ଟି ଲଗାଣ ଦୁଇଟି ଯାକ ପଦକ୍ଷେପ ହିଁ ବିପତ୍ତି ସଦୃଶ ହୋଇଛି ବୋଲି ସେ ଅଭିଯୋଗ କରିଥିଲେ।

ତେବେ ଡ. ସିଂହଙ୍କ ‘ଲୁଣ୍ଠନ’ ବକ୍ତବ୍ୟର ଦୃଢ଼ ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି। ସେ କହିଛନ୍ତି ଯେ ବିମୁଦ୍ରାକରଣ ଏକ ନୈତିକ ପଦକ୍ଷେପ। ଏହା ଦ୍ୱାରା ଦୁର୍ନୀତି କରିବା କଷ୍ଟକର ହୋଇଛି। ସେ ମନମୋହନଙ୍କୁ ମନେ ପକାଇ ଦେଇଛନ୍ତି ଯେ ୨ଜି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତି ଏବଂ କୋଇଲା ଦୁର୍ନୀତି ହେଉଛି ଲୁଟ୍‌। ଉପା ସରକାରଙ୍କ ୧୦ ବର୍ଷର ଶାସନ ନୀତି ନିୟମ ସ୍ଥାଣୁ ଭାବେ ଜଣାଶୁଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସୁଧାର ଆଣିବାକୁ ପ୍ରୟାସ କରିଛନ୍ତି ଏବଂ ଦେଶକୁ ଏକ ସ୍ୱଚ୍ଛ ଅର୍ଥ ବ୍ୟବସ୍ଥା ପ୍ରଦାନ କରିବାକୁ ଚାହୁଁଛନ୍ତି। କଂଗ୍ରେସ ବିରୋଧରେ ବିଷୋଦଗାର କରି ସେ କହିଛନ୍ତି ଯେ ପୂର୍ବରୁ କଂଗ୍ରେସ ସରକାର କଳାଧନ ଉପରେ କେବେ ବି ଏତେ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ସାହସ କରିନାହିଁ। କଂଗ୍ରେସର ମୁଖ୍ୟ ଲକ୍ଷ୍ୟ ହେଉଛି ପରିବାର ସେବା କରିବା ଏବଂ ବିଜେପିର ମୁଖ୍ୟ ଲକ୍ଷ୍ୟ ଦେଶ ସେବା ବୋଲି ଜେଟ୍‌ଲି କହିଛନ୍ତି। କମ୍‌ ନଗଦ ଅର୍ଥ ବ୍ୟବସ୍ଥା ଦ୍ୱାରା ଦୁର୍ନୀତି ସମ୍ପୂର୍ଣ୍ଣ ଶେଷ ହୋଇନପାରେ କିନ୍ତୁ ନିଶ୍ଚିତ କମିଯିବ ବୋଲି ଜେଟ୍‌ଲି କହିଛନ୍ତି।

ଏହା ପୂର୍ବରୁ ଜେଟ୍‌ଲି ଫେସବୁକ୍‌ରେ ଏକ ବ୍ଲଗ୍‌ ସେୟାର କରି ମନମୋହନଙ୍କୁ ସମାଲୋଚନା କରିଛନ୍ତି।