ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ରେ ଘୋଷଣା କରିଥିବା ବିମୁଦ୍ରୀକରଣକୁ ବିରୋଧ କରି ୫ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠରେ ଚାଲିଥିବା ବେଳେ ଶୁଣାଣି ବେଳେ ସରକାର ମହାଭାରତର ଜରାସନ୍ଧ ଚରିତ୍ରର ଉଦାହରଣ ଦେଇଛନ୍ତି। ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣି କହିଥିଲେ ଯେ ଜାଲ ନୋଟ୍, ଆତଙ୍କବାଦ ପାଣ୍ଠି ଓ କଳାଧନ ତିନି ରାକ୍ଷାସ ସଦୃଶ ଥିଲେ। ସେମାନେ ଥିଲେ ମହାଭାରତର ଜରାସନ୍ଧ ଭଳି। ସେମାନଙ୍କୁ ଖଣ୍ଡ ଖଣ୍ଡ କରି କାଟିବାର ଥିଲା। ଯଦି ସେମାନଙ୍କୁ ଖଣ୍ଡ ଖଣ୍ଡ କରାଯାଇନଥାନ୍ତା ତେବେ ସେମାନେ ଚିର କାଳ ଜୀବିତ ରହିଥାନ୍ତେ ବୋଲି ସେ କହିଛନ୍ତି।
ବିମୁଦ୍ରୀକରଣକୁ ବିରୋଧ କରି ଯେଉଁ ଆବେଦନ ସବୁ ଆସିଛି ସେଗୁଡ଼ିକୁ ଖାରଜ କରିବା ଲାଗି ଆଟର୍ଣ୍ଣି ଜେନେରାଲ ଶ୍ରୀ ଭେଙ୍କଟରମଣି ଦାବି କରିଥିଲେ। ଯେଉଁ ଉଦ୍ଦେଶ୍ୟ ରଖି ପଦକ୍ଷେପ ଗ୍ରହଣ କରାଯାଇଥିଲା ତାହା ହାସଲ ହୋଇଛି ନା ନାହିଁ, କେବଳ ସେହି ଭିତରେ ଏକ ଅର୍ଥନୈତିକ ନୀତିର ବିଚାର ବିଭାଗୀୟ ସମୀକ୍ଷା ସୀମିତ ରହିବା ଦରକାର ବୋଲି ସେ କହିଛନ୍ତି। ବିମୁଦ୍ରୀକରଣର ଲକ୍ଷ୍ୟ ହାସଲ ହୋଇନାହିଁ ବୋଲି ଯାହା କୁହାଯାଉଛି ତାହା ବିତର୍କର ଏକ ଆଧାର ନୁହେଁ ବୋଲି ସେ କହିଛନ୍ତି। ପଞ୍ଚ ବାର୍ଷିକ ଯୋଜନା ପାଇଁ ବି ଲକ୍ଷ୍ୟ ଧାର୍ଯ୍ୟ କରାଯାଉଥିଲା। କିଛି ହାସଲ ହେଉଥିଲା, କିଛି ହେଉନଥିଲା। କେବଳ ସେଥିପାଇଁ ସମ୍ପୂର୍ଣ୍ଣ ଯୋଜନାକୁ ଦୋଷ ଦେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।
୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆକୁ ଅଚଳ କରିଦେଇଥିଲେ। ଫଳରେ ସେହି ସମୟରେ ପ୍ରଚଳନରେ ଥିବା ୮୬% ନୋଟ୍ ଅଚଳ ହୋଇଯାଇଥିଲା। ଅଚଳ ଟଙ୍କା ବଦଳାଇବା ପାଇଁ ଲୋକମାନଙ୍କୁ ନାହିଁ ନଥିବା ଅସୁବିଧା ସାମ୍ନା କରିବାକୁ ପଡ଼ିଥିଲା। ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରି ଦାଖଲ ହୋଇଥିବା ୫୮ଟି ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠରେ ଏକତ୍ର ଶୁଣାଣି କରାଯାଉଛି। ଜଷ୍ଟିସ୍ ବି ଆର୍ ଗଭାଇ, ଏ ଏସ୍ ବୋପନ୍ନା, ଭି ରାମସୁବ୍ରମଣ୍ୟନ ଓ ବି ଭି ନାଗରତ୍ନାଙ୍କୁ ନେଇ ଏହି ସାମ୍ବାଧାନିକ ଖଣ୍ଡପୀଠ ଗଠନ କରାଯାଇଛି।