ବିମୁଦ୍ରୀକରଣ ଯନ୍ତ୍ରଣାକୁ ୨ ବର୍ଷ

କ୍ଷତ ଏବେ ବି ଦେଖାଯାଉଛି : ମଜବୁତ ହୋଇଛି ଅର୍ଥନୀତି

ବିମୁଦ୍ରୀକରଣକୁ ଦୁଇ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ‌ଘୋଷଣାର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାର ଓ ବିରୋଧୀ ଦଳ ଗୁଡ଼ିକ ପରସ୍ପରକୁ କାଦୁଅ ଫିଙ୍ଗିବା ଆରମ୍ଭ କରିଦେଇଛନ୍ତି।

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୋଦୀ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଘୋର ସମାଲୋଚନା କରିଛନ୍ତି। ସେ କହିଛନ୍ତି ସମୟ ଅତିବାହିତ ହେବା ସହିତ ବିମୁଦ୍ରୀକରଣର କ୍ଷତ ଅଧିକ ପରିଦୃଶ୍ୟ ହେଉଛି। ଅର୍ଥନୀତି ସଂକ୍ରାନ୍ତ ଦୁଃସାହସିକ ନିଷ୍ପତ୍ତି କିଭଳି ଦେଶକୁ ଧ୍ବଂସ କରିଦେଇପାରେ ତାହାକୁ ବିମୁଦ୍ରୀକରଣର ଦ୍ବିତୀୟ ବର୍ଷ ମନେ ପକାଇ ଦେଇଛି। ମୋଦୀ ସରକାରକୁ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି, ପୁନର୍ବାର ଏଭଳି ଉଗ୍ର ବା ଅଣରକ୍ଷଣଶୀଳ, ସ୍ବଳ୍ପମିଆଦୀ ଅର୍ଥନୈତିକ ପଦକ୍ଷେପ ସରକାର ନନିଅନ୍ତୁ। ଏହାହେଲେ ଅର୍ଥନୀତିରେ ଅଧିକ ଅନିଶ୍ଚିତତା ଦେଖାଦେବ।
ବିମୁଦ୍ରୀକରଣକୁ ସେ ଦୁର୍ଭାଗ୍ୟପୂର୍ଣ୍ଣ ଓ ଠିକ୍ ଭାବେ ଚିନ୍ତା କରି ନିଆଯାଇ ନଥିବା ଏକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ଭାରତର ଅର୍ଥନୀତି ଓ ସମାଜକୁ ଏହା ଯେଭଳି ଧ୍ବଂସ କରିଛି ତାହାକୁ ସମସ୍ତେ ଏବେ ଦେଖୁଛନ୍ତି। ବିମୁଦ୍ରୀକରଣ ପ୍ରତ୍ୟେକ ବୟସ, ଲିଙ୍ଗ, ପେସା ଓ ଧର୍ମର ବ୍ୟକ୍ତିକୁ ପ୍ରଭାବିତ କରିଛି। ଅଧକାଂଶ ସମୟରେ ଏହା କୁହାଯାଇଥାଏ ଯେ, ସମୟ ହେଉଛି ସବୁଠୁ ବଡ଼ ଉପଶମକାରୀ। କିନ୍ତୁ ଦୁଃଖର ବିଷୟ ହେଲା ବିମୁଦ୍ରୀକରଣ କ୍ଷେତ୍ରରେ ସମୟ ଅତିକ୍ରାନ୍ତ ହେବା ସହିତ ବିମୁଦ୍ରୀକରଣର କ୍ଷତ ଅଧିକ ସ୍ପଷ୍ଟ ହେଉଛି ବୋଲି ମନମୋହନ କହିଛନ୍ତି। ବିମୁଦ୍ରୀକରଣ ପରେ ଦେଶର ଜିଡିପି ଅଭିବୃଦ୍ଧିରେ ମାତ୍ରାଧିକ ହ୍ରାସ ହୋଇଥିଲାବେଳେ ବିମୁଦ୍ରୀକରଣର ଗଭୀର ପ୍ରଭାବ ଏବେ ବି ପ୍ରସ୍ଫୁଟିତ ହେଉଛି। ଭାରତୀୟ ଅର୍ଥନୀତିର ମୂଳାଧାର ଭାବେ ପରିଚିତ କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ରର ଉଦ୍ୟୋଗ ଗୁଡ଼ିକ ବିମୁଦ୍ରୀକରଣର ପ୍ରଭାବରୁ ଏବେ ବି ମୁକ୍ତ ହୋଇପାରି ନାହାନ୍ତି। ଅର୍ଥନୀତିରେ ନୂଆ ନିଯୁକ୍ତି ସୃଷ୍ଟି ପାଇଁ ଦେଶ ସଂଘର୍ଷ କରୁଥିବା ବେଳେ ନିଯୁକ୍ତି ଉପରେ ବିମୁଦ୍ରୀକରଣ ସିଧାସଳଖ ପ୍ରତିକୂଳ ପ୍ରଭାବ ପକାଇଥିଲା। ବିମୁଦ୍ରୀକରଣ ଫଳରେ ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନ ଓ ଭିତ୍ତିଭୂମି କ୍ଷେତ୍ରର ସଂସ୍ଥା ଗୁଡ଼ିକରେ ନଗଦ ଅର୍ଥର ଅଭାବ ଦେଖାଦେଇଛି। ଏହାଦ୍ବାରା ପୁଞ୍ଜି ବଜାର ମଧ୍ୟ ଅସ୍ଥିର ହୋଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଏବେ ପର୍ଯ୍ୟନ୍ତ ମଧ୍ୟ ବିମୁଦ୍ରୀକରଣର ସମ୍ପୂର୍ଣ୍ଣ ପ୍ରଭାବକୁ ବୁଝାଯାଇନାହିଁ କିମ୍ବା ଅନୁଭୂତ କରାଯାଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ବିମୁଦ୍ରୀକରଣକୁ ଦୁଇ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତାକାଲି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ଯୋଜନାବଦ୍ଧ ଦୁର୍ନୀତି: ରାହୁଲ
ବିମୁଦ୍ରୀକରଣ ଏକ ଯୋଜନାବଦ୍ଧ ଦୁର୍ନୀତି ଥିଲା। ଅର୍ଥନୀତି ବିରୋଧରେ ଏହା ଏକ ଜଘନ୍ୟ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି।
ଦେଶ ପାଇଁ ବିପର୍ଯ୍ୟୟ: ମମତା
ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିମୁଦ୍ରୀକରଣକୁ ସମାଲୋଚନା କରିଛନ୍ତି। ଦେଶପାଇଁ ବିମୁଦ୍ରୀକରଣ ବିପର୍ଯ୍ୟୟ ଥିଲା ବୋଲି ମମତା ମତ ଦେଇଛନ୍ତି। ୨୦୧୬ରେ ବିମୁଦ୍ରୀକରଣ ଘୋଷଣା ହେବା ଦିନଠାରୁ ସେ ଏହାକୁ କଳା ଦିବସ ଆଖ୍ୟା ଦେଇ ଆସୁଛନ୍ତି ବୋଲି ବାନାର୍ଜୀ କହିଛନ୍ତି।
ଆତ୍ମଘାତୀ: କେଜ୍ରିୱାଲ୍‌
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ‌କେଜ୍ରିୱାଲ ମଧ୍ୟ ବିମୁଦ୍ରୀକରଣ କରାଯିବାର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିମୁଦ୍ରୀକରଣ ଭାରତୀୟ ଅର୍ଥନୀତି ଉପରେ ଏକ ଆତ୍ମଘାତୀ କ୍ଷତ ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଅର୍ଥନୀତିକୁ ମିଳିଥିବା ଲାଭ ବିଷୟରେ ‌ଉଲ୍ଲେଖ କରିଛନ୍ତି। ଜେଟ୍‌ଲି କହିଛନ୍ତି, ଅର୍ଥନୀତିକୁ ସଙ୍ଗଠିତ କରିବାରେ ବିମୁଦ୍ରୀକରଣ ସହାୟକ ହୋଇଛି। ଏକ ଫେସବୁକ୍ ବ୍ଲଗରେ ଜେଟ୍‌ଲି କହିଛନ୍ତି, ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ କରିଦିଆଯିବା ଫଳରେ ଭାରତ ବାହାରେ ଥିବା କଳାଟଙ୍କାକୁ ଟା‌ର୍ଗେଟ କରାଯାଇ ପାରିଛି। ଏଥସହିତ ପ୍ରଯୁକ୍ତିକୁ ଉପଯୋଗ କରାଯାଇ ଟିକସ ରିଟର୍ଣ୍ଣ ଫାଇଲ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି କରାଯିବା ସହ ଟିକସର ଆଧାରକୁ ମଧ୍ୟ ବ୍ୟାପକ କରାଯାଇ ପାରିଛି। କଳାଟଙ୍କାରେ ସମ୍ପତ୍ତି କରିଥିବା ବ୍ୟକ୍ତିମାନେ ବିପୁଳ ଜରିମାନା ଦେଇ ସେମାନଙ୍କ ଟଙ୍କାକୁ ଅର୍ଥନୀତିକୁ ଫେରାଇବାର ସୁଯୋଗ ପାଇଛନ୍ତି। ଯେଉଁମାନେ ଏହା କରିବାରେ ବିଫଳ ହୋଇଛନ୍ତି ସେମାନଙ୍କ ବିରୋଧରେ କଳାଟଙ୍କା ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦେଶରେ ଟଙ୍କା ଓ ସମ୍ପତ୍ତି ରଖିଥିବା ବ୍ୟକ୍ତିଙ୍କ ବିସ୍ତୃତ ତଥ୍ୟ ସରକାରଙ୍କ ନିକଟରେ ପହଞ୍ଚି ପାରିଛି। ଫଳରେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିଛି ବୋଲି ଜେଟ୍‌ଲି ତାଙ୍କ ବ୍ଲଗରେ ଉଲ୍ଲେଖ କରିଛନ୍ତି।
ବିମୁଦ୍ରୀକରଣ ଫଳରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିଛି। ଏଥିଯୋଗୁ ସମାଜରେ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକମାନେ ଆନୁଷ୍ଠାନିକ ଅର୍ଥନୀତିର ପରିସରକୁ ଆସିପାରିଛନ୍ତି। ଜନଧନ ଖାତା ମାଧ୍ୟମରେ ବହୁସଂଖ୍ୟାରେ ଲୋକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପରିସରକୁ ଆସିପାରିଛନ୍ତି। ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ପ୍ରାୟ ସମସ୍ତ ଅର୍ଥ ଫେରି ଆସିଥିବା ନେଇ ହେଉଥିବା ସମାଲୋଚନା ପ୍ରସଙ୍ଗରେ ମଧ୍ୟ ଜେଟ୍‌ଲି ତାଙ୍କ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଟଙ୍କା ବାଜ୍ୟାପ୍ତ କରିବା ବିମୁଦ୍ରୀକରଣର ଲକ୍ଷ୍ୟ ନଥିଲା, ବରଂ ଏକ ସଙ୍ଗଠିତ ଅର୍ଥନୀତି ସୃଷ୍ଟି କରିବା ଏବଂ ଟିକସ ପ୍ରଦାନ କରୁ ନଥିବା ବ୍ୟକ୍ତିମାନଙ୍କୁ ଟିକସ ପରିସରକୁ ଆଣିବା ଥିଲା ବିମୁଦ୍ରୀକରଣର ବଡ଼ ଲକ୍ଷ୍ୟ।

ସମ୍ବନ୍ଧିତ ଖବର