ମୃତ ଡେଙ୍ଗୁ ଆକ୍ରାନ୍ତ ଶିଶୁର ୧୫ ଦିନର ମେଡିକାଲ୍‌ ବିଲ୍‌ ୧୬ ଲକ୍ଷ!

ନୂଆଦିଲ୍ଲୀ : ଗୁଡ଼ଗାଓଁ ସ୍ଥିତ ଫର୍ଟିସ୍‌ ହସ୍ପିଟାଲ୍‌ରେ ଜଣେ ଡେଙ୍ଗୁ ଆକ୍ରାନ୍ତ ଶିଶୁ ପାଇଁ ୧୫ ଦିନର ମେଡିକାଲ୍‌ ବିଲ୍‌ ୧୬ ଲକ୍ଷ ଟଙ୍କା ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅପରପକ୍ଷେ, ୭ ବର୍ଷର ଉକ୍ତ ଶିଶୁକନ୍ୟାକୁ ଫର୍ଟିସ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ସେ ଆଖି ବୁଜିଥିବା ବେଳେ ମାତ୍ରାଧିକ ବିଲ୍‌ ପାଇଁ ଫର୍ଟିସ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶିଶୁର ପରିବାରକୁ ଆଶ୍ୱାସନା ଦେଇଛନ୍ତି।
ଦ୍ୱାରକାରେ ଅବସ୍ଥାପିତ ଆଇଟି ବିଶେଷଜ୍ଞ ଜୟନ୍ତ ସିଂହଙ୍କ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୭ ବର୍ଷର ଝିଅ ଆଦ୍ୟାର ଜ୍ୱର ନଛାଡ଼ିବାରୁ ସେଠାକାର ରକ୍‌ଲ୍ୟାଣ୍ଡ୍‌ ହସ୍ପିଟାଲ୍‌ରେ ତା’କୁ ଭର୍ତ୍ତି କରାଯାଇଥିଲା। ରକ୍ତ ପରୀକ୍ଷା ପରେ ତା’ଠାରେ ଡେଙ୍ଗୁ ପଜିଟିଭ୍‌ ବାହାରିଥିଲା। ଉନ୍ନତ ଚିକିତ୍ସା ପାଇଁ ପରିବାର ଲୋକେ ଆଦ୍ୟାକୁ ଅଗଷ୍ଟ ୩୧ ତାରିଖରେ ଗୁଡ଼ଗାଓଁର ଫର୍ଟିସ୍‌ ମେମୋରିଆଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌୍‌ ନେଇଥିଲେ। ପ୍ରଥମେ ସେଠାରେ ଡାକ୍ତରମାନେ ଦୀର୍ଘ ୧୦ ଦିନ ଧରି ତା’କୁ ବିଭିନ୍ନ ପ୍ରକାର ରୋଗ ହୋଇଛି ଦର୍ଶାଇ ଲାଇଫ୍‌ ସପୋର୍ଟରେ ରଖିବା ସହ ମାତ୍ରାଧିକ ଖର୍ଚ୍ଚ ହୋଇଥିବା ବିଲ୍‌ କରିଥିଲେ।

ଏପରିକି ଆଇସିୟୁରେ ରହଣି ସାଙ୍ଗକୁ ଆଦ୍ୟା ପାଇଁ ୧୬୦୦ ଗ୍ଲୋଭ୍‌ସ ଏବଂ ୬୦୦ ସିରିଞ୍ଜ୍‌ ସମେତ ଦାମୀ ଓଷଧ ମଧ୍ୟ ଲଗିଥିବା କହିଥିଲେ। ତେବେ ସେପ୍ଟେମ୍ବର ୧୪ରେ ଏମ୍‌ଆର୍‌ଆଇ ପରୀକ୍ଷା ପରେ ଆଦ୍ୟାର ମସ୍ତିଷ୍କ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିବାରୁ ଡାକ୍ତର ଦଳ ଆଶା ଛାଡ଼ିଦେଇଥିଲେ। ତେବେ ଜୟନ୍ତ ଝିଅକୁ ଅନ୍ୟତ୍ର ନେଇଯିବାକୁ ଚାହିବାରୁ ତାଙ୍କୁ ଫର୍ଟିସ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ସୁବିଧା ମଧ୍ୟ ଦେଇନଥିଲେ। ଏପରିକି ତାଙ୍କୁ ୧୫ ଦିନର ମେଡିକାଲ୍‌ ଖର୍ଚ୍ଚ ବାବଦ ୧୫ ଲକ୍ଷ ୭୯ ହଜାର ଟଙ୍କାର ୨୦ ପୃଷ୍ଠିଆ ବିଲ୍‌ ଧରାଇ ଦେଇଥିଲେ। ପରେ ସ୍ଥାନାନ୍ତର ବେଳେ ଆଦ୍ୟାର ମୃତ୍ୟୁ ହୋଇଥିବା ବେଳେ ଜୟନ୍ତଙ୍କ ଜଣେ ସାଙ୍ଗ ସୋସିଆଲ୍‌ ମିଡିଆରେ ଏ ସମ୍ପର୍କରେ ପ୍ରଘଟ କରିଛନ୍ତି।

ସମ୍ବନ୍ଧିତ ଖବର