ଚଣ୍ଡିଗଡ଼: ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ଡେଙ୍ଗୁ ଓ ଭାଇରାଲ୍ ଜ୍ବର ଆତଙ୍କ ଖେଳାଇ ଦେଇଛି। ଉତ୍ତରପ୍ରଦେଶ ପରେ ଏବେ ପୁଣି ହରିୟାଣାରେ ଡେଙ୍ଗୁ ଏବଂ ଅଜଣା ଜର ଯୋଗୁଁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି। ହରିୟାଣା ପଲୱଲ୍ ଜିଲ୍ଲାର ଚିଲ୍ଲି ଗ୍ରାମରେ ଅନେକ ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି। ଗ୍ରାମର ୮ ଜଣ ଶିଶୁଙ୍କର ପ୍ରବଳ ଜ୍ବର ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିଶୁଙ୍କ ଅଭିଭାବକ ଦାବି କରିଛନ୍ତି ଯେ,ଡେଙ୍ଗୁ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କିଛି ସ୍ପଷ୍ଟ କରିନାହିଁ। ଚିଲ୍ଲି ଗ୍ରାମରେ ୫୦ରୁ ୬୦ ଜଣ ଶିଶୁ ଜ୍ବରରେ ପଡ଼ିଛନ୍ତି। କିଛି ଶିଶୁ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ସ୍ବାସ୍ଥ୍ୟ ବିଭାଗ ଚିଲ୍ଳି ଗ୍ରାମକୁ ଏକ ଟିମ୍ ପଠାଇଛନ୍ତି। ଘରକୁ ଘର ବୁଲି ଛୋଟ ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଅନ୍ୟପକ୍ଷେ ସ୍ଥାନୀୟ ଲୋକ ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ସଠିକ୍ ସମୟରେ ସଠିକ୍ ପଦକ୍ଷେପ ଗ୍ରହଣ କରିଥିଲେ ଅନେକ ଶିଶୁଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି ସେମାନେ କହିଛନ୍ତି। ଉତ୍ତରପ୍ରଦେଶର ଫିରୋଜାବାଦ, ମଥୁରା , ଆଗ୍ରା ଏବଂ ମୈନପୁରୀରେ ମଧ୍ୟ ଡେଙ୍ଗୁ ଆତଙ୍କ ଖେଳାଇ ଦେଇଛି। ଉତ୍ତରପ୍ରଦେଶରେ ଡେଙ୍ଗୁ ଏବଂ ଭାଇରାଲ୍ ଯୋଗୁଁ ୮୮ ଶିଶୁଙ୍କ ମୃତ୍ୟୁ ହୋଇଛି।
ବିହାରରେ ବି ଡେଙ୍ଗୁ ଏବଂ ଭାଇରାଲ୍ ଜ୍ବର ମାଡ଼ିଚାଲିଛି। ପ୍ରାୟ ୪୦୦ ଶିଶୁ ଭାଇରାଲ୍ ଜ୍ବରରେ ପୀଡ଼ିତ ହୋଇ ବିଭିନ୍ନ ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ କହିଛନ୍ତି, ୩୦୦ ଶିଶୁ ହସ୍ପିଟାଲ୍ରୁ ଡିସଚାର୍ଜ ହୋଇଥିବାବେଳେ ୮୭ ଜଣ ଚିକିତ୍ସାଧୀନ ଅଛନ୍ତି। ହସ୍ପିଟାଲ୍ରେ ବେଡ୍ର ଅଭାବ ନାହିଁ କି ଚିକିତ୍ସା ନେଇ କୌଣସି ସଙ୍କଟ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ସରକାର ଡେଙ୍ଗୁ ଓ ଭାଇରାଲ ଜ୍ଜର ବାବଦରେ ସତର୍କ ଅଛନ୍ତି। ତେବେ ବିହାରରେ ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ହସ୍ପିଟାଲ୍ରେ ବେଡ୍ର ଅଭାବ ଦେଖାଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଉତ୍ତର ପଶ୍ଚିମବଙ୍ଗରେ ମଧ୍ୟ ଭାଇରାଲ୍ ଜ୍ବର ଆତଙ୍କ ସୃଷ୍ଟି କରିଛି। ଜଲପାଇଗୁଡ଼ି ଭାଇରାଲ୍ର କେନ୍ଦ୍ରସ୍ଥଳ ପାଲଟିଛି। ଗତକାଲି ଭାଇରାଲ୍ ଜ୍ବର ଯୋଗୁଁ ୬ ବର୍ଷୀୟ ଏକ ଶିଶୁର ମୃତ୍ୟୁ ହୋଇଥିଲା। ଜଲପାଇଗୁଡ଼ି ସରଦାର ହସ୍ପିଟାଲ୍ରେ ପ୍ରାୟ ୧୩୦ ଶିଶୁ ପ୍ରବଳ ଜ୍ବର ଯୋଗୁଁ ଭର୍ତ୍ତି ହୋଇଛନ୍ତି। ମଧ୍ୟପ୍ରଦେଶରେ ମଧ୍ୟ ଡେଙ୍ଗୁ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ହଜାରରୁ ଅଧିକ ଲୋକ ଜ୍ବରରେ ଆକ୍ରାନ୍ତ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗତକାଲି ଏନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ଡେଙ୍ଗୁ ଏବଂ ଭାଇରାଲ୍ ଜ୍ବର ନିୟନ୍ତ୍ରଣ ଦିଗରେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାପାଇଁ ଭୂଷଣ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/dengu.jpg)