ଲେକ୍ଷ୍ନୌ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଡେଙ୍ଗୁ ଆତଙ୍କ ଖେଳାଇ ଦେଇଛି। ସେଠାରେ ୧୨ ହଜାରରୁ ଅଧିକ ଶିଶୁ ଡେଙ୍ଗୁ ଏବଂ ଭାଇରାଲ୍ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ପୁଣି ୪ ଜଣଙ୍କ ମୃତ୍ୟୁ ହୋଇଛି। ଡେଙ୍ଗୁ ଏବଂ ଭାଇରାଲ୍ ଜ୍ବର ଯୋଗୁଁ ଫିରୋଜାବାଦରେ ମୃତ୍ୟୁସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ୮୮ ଜଣ ଶିଶୁ ଅଛନ୍ତି। ୧୨ ହଜାରରୁ ଅଧିକ ଶିଶୁ ଘରେ ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ସରକାରୀ ହସ୍ପିଟାଲ୍ରେ ଅବ୍ୟବସ୍ଥା ଲାଗି ରହିଛି। ଠିକ୍ ସମୟରେ ଗୁରୁତର ରୋଗୀଙ୍କୁ ବେଡ୍ ମିଳିପାରୁନି। ଅନ୍ୟପକ୍ଷେ ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ଖର୍ଚ୍ଚ ବହନ ବହନ କରିବା ଅନେକ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗତକାଲି ଚିକିତ୍ସା ଅଭାବରୁ ଏକ ୫ ବର୍ଷର ଶିଶୁ ଆଖି ବୁଜିଛି।
ସୂଚନା ଅନୁଯାୟୀ, ବୀର ପାଲ୍ ନାମକ ଜଣେ ଦିନ ମଜୁରିଆର ୫ ବର୍ଷର ପୁଅ ଗତକାଲି ହଠାତ୍ ଅସୁସ୍ଥ ହେଲା। ଏହା ପରେ ସେ ତାଙ୍କ ପୁଅକୁ ଏକ ଘରୋଇ ହସ୍ପିଟାଲ୍କୁ ନେଇଥିଲେ। କିନ୍ତୁ ସେଠାରେ ଆଡମିସନ ପାଇଁ ୩୦ ହଜାର ଟଙ୍କା ଡାକ୍ତରଖାନା ମାଗିଥିଲା। ଚିକିତ୍ସା ଆରମ୍ଭ କରିବାପାଇଁ ପାଲ୍ ଅନୁରୋଧ କରିଥିଲେ। କିନ୍ତୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ଶୁଣିନଥିଲେ। ସେଠାରୁ ପାଲ୍ ତାଙ୍କ ପୁଅକୁ ଫିରୋଜାବାଦ ସରକାରୀ ଡାକ୍ତରଖାନା ନେଇଥିଳେ। କିନ୍ତୁ ବେଡ୍ ଅଭାବରୁ ସେଠାରେ ଆଡମିସନ ହୋଇପାରିଲାନି। ପୁଅକୁ ଧରି ପାଲ୍ ଆଗ୍ରା ଯାଉଥିବାବେଳେ ବାଟରେ ତାଙ୍କ ପୁଅର ମୃତ୍ୟୁ ହୋଇଗଲା। ତେବେ ଫିରୋଜାବାଦ ମେଡିକାଲ ସୁପରିନଟେଣ୍ଡେଣ୍ଟ୍ ଡାକ୍ତର ହଂସରାଜ ସିଂହ କହିଛନ୍ତି, ଉକ୍ତ ଘଟଣାରେ କୌଣସି ଅଭିଯୋଗ ଦାଏର ହୋଇନାହିଁ।