ତିରୁଅନନ୍ତପୁରମ: କେରଳରେ ଏପ୍ରିଲ ୬ରେ ହେବାକୁ ଯାଉଛି ମତଦାନ। ନିର୍ବାଚନ ପୂର୍ବରୁ ଏବେ ଦଳମାନେ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି। କେରଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆଜି କଂଗ୍ରେସ ୮୬ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲେ। ପ୍ରାର୍ଥୀଙ୍କ ତାଲିକାରେ ନିଜ ନାଁ ନଥିବାରୁ ଇସ୍ତଫା ଦେବା ସହ ଲଣ୍ଡା ହୋଇଛନ୍ତି କେରଳ ମହିଳା କଂଗ୍ରେସ ମୁଖ୍ୟ ଲତିକା ସୁବାଷ। କେରଳରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳ ଟିକେଟ ନଦେବାରୁ ଏହାକୁ ବିରୋଧ କରି ଲତିକା ଲଣ୍ଡା ହୋଇଛନ୍ତି।
ଦୀର୍ଘ ବର୍ଷ ଧରି ପାର୍ଟିରେ ରହି ସେବା କରି ଆସୁୁଥିବା ମହିଳାଙ୍କୁ ଦଳ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଲତିକା। ଦଳରେ ଯୋଗଦେବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ ଏବଂ ବିଧାନସଭା ନିର୍ବାଚନରେ ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଲତିକା ଘୋଷଣା କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଲତିକା ସୁବାଷ ଇଟୁମାନୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। କିନ୍ତୁ ଦଳ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଲାନାହିଁ। କେରଳରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ଦଳ ୮୬ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ପରେ ଲତିକା ନିଜ ନାଁ ନଥିବା ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ଇସ୍ତଫା ଦେବା ସହ ସେ ଲଣ୍ଡା ହୋଇଥିବା ଜଣାପଡ଼ିଛି।