ୱାସିଂଟନ/କୋପେନହେଗେନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଗ୍ରିନ୍‌ଲାଣ୍ଡ ଦଖଲ ପାଇଁ ଶକ୍ତି ପ୍ରୟୋଗ କରିବାକୁ ଚେତାବନୀ ଦେବା ପରେ ୟୁରୋପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ୱୟଂଶାସିତ ଆର୍କଟିକ ଦ୍ୱୀପ ଉପରେ ଡେନମାର୍କର ସାର୍ବଭୌମତ୍ୱକୁ ହଟାଇବା ପାଇଁ ଟ୍ରମ୍ପଙ୍କ ତୁହାକୁତୁହା ଘୋଷଣା ନାଟୋ ରାଷ୍ଟ୍ରମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ବାରା ଗ୍ରିନ୍‌ଲାଣ୍ଡ ଦଖଲ ପାଇଁ ଟ୍ରମ୍ପଙ୍କ ସ୍ପଷ୍ଟ ସଙ୍କେତ ପରେ କାନାଡ଼ା, ଫ୍ରାନ୍‌ସ ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ଏହାର ଖୋଲାଖୋଲି ବିରୋଧ କରିଛନ୍ତି। ବ୍ରିଟେନ ମଧ୍ୟ ଏହି ମାମଲାରେ ଆମେରିକାର ନୀତିକୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ଗ୍ରିନ୍‌ଲାଣ୍ଡରେ ସ୍ଥାୟୀ ଭାବେ ରହିଥିବା ଆମେରିକାର ସାମରିକ ଘାଟିକୁ ଅଧିକ ସୈନ୍ୟବଳ ଓ  ଯୁଦ୍ଧାସ୍ତ୍ର ପଠାଇବା ପାଇଁ ପେଣ୍ଟାଗନ୍‌ ପ୍ରସ୍ତୁତ ରହିଛି।

Advertisment

Sand Smuggling: ମାଲେମାଲ ବାଲି ମାଫିଆ, ପ୍ରଶାସନ ନୀରବ

ଏଭଳି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ଡେନମାର୍କର ରାଜନେତାମାନେ କହିଛନ୍ତି ଯେ  କୌଣସି ପରିସ୍ଥିତିରେ ଆମେରିକା ଆମ ନାଗରିକଙ୍କୁ ‘ଆମେରିକୀୟ’ କରିପାରିବ ନାହିଁ କି ଆମେ ଏହାକୁ ଗ୍ରହଣ କରିପାରିବୁ ନାହିଁ। ଗ୍ରିନ୍‌ଲାଣ୍ଡର ସମସ୍ତ ବାସିନ୍ଦାଙ୍କୁ କ୍ଷତିପୂରଣ ଦେଇ ସେଠାରୁ ହଟାଇବାକୁ ଆମେରିକାର ଯୋଜନା ବିରୋଧରେ ଡେନମାର୍କ ରଣହୁଙ୍କାର ଦେଇଛି। ଏକ ସ୍ବାଧୀନ ରାଷ୍ଟ୍ରର ବାସିନ୍ଦାଙ୍କ ପ୍ରତି ଟ୍ରମ୍ପ ପ୍ରଶାସନର ଏଭଳି ଆଭିମୁଖ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍‌ସନ କହିଛନ୍ତି। ଗ୍ରିନ୍‌ଲାଣ୍ଡ ଉପରେ ଆମେରିକାର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆମେ ସବୁ ଶକ୍ତି ଖଟାଇବୁ ବୋଲି ସେ କହିଛନ୍ତି।

China-Bangladesh: ଚୀନ୍-ବାଂଲାଦେଶର ମୁକାବିଲା ପାଇଁ ନୂଆ ରଣନୀତି: ହଳଦିଆରେ ଭାରତୀୟ ନୌସେନାର ବିଶାଳ ଘାଟି

ଡେନମାର୍କର ଉଦ୍‌ବେଗକୁ ଅଣଦେଖା କରି ଟ୍ରମ୍ପ ହ୍ୱାଇଟ୍ ହାଉସରେ ଏକ ବୈଠକ କରି କହିଛନ୍ତି ଯେ ମୁଁ ସହଜ ଉପାୟରେ ଏକ ଚୁକ୍ତି କରିବାକୁ ଚାହୁଛି ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଯଦି ଆମେ ଏହାକୁ ସହଜ ଉପାୟରେ ନ କରିପାରୁ, ତେବେ ଆମେ ଏହାକୁ କଠୋର ପନ୍ଥା ଅବଲମ୍ବନ କରି ହାସଲ କରିବୁ। ଆର୍କଟିକରେ ରୁଷ ଓ ଚୀନ୍‌ର ବଢୁଥିବା ସାମରିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଖଣିଜ ପଦାର୍ଥରେ ସମୃଦ୍ଧ ଏହି ଦ୍ୱୀପକୁ ନିୟନ୍ତ୍ରଣ କରିବା ଆମେରିକାର ଜାତୀୟ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ଆମେ ରୁଷ୍‌ ଓ ଚୀନ୍‌କୁ ଗ୍ରିନ୍‌ଲାଣ୍ଡ ଦଖଲ କରିବାକୁ ଦେବୁ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ତେବେ ଟ୍ରମ୍ପଙ୍କ ଏଭଳି ଦାବି ହାସ୍ୟାସ୍ପଦ ଏବଂ ଡେନମାର୍କର ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ଚୀନ୍‌, ରୁଷ୍‌ର କୌଣସି ପ୍ରଭାବ ବିସ୍ତାର ଯୋଜନା ନାହିଁ ବୋଲି ଡେନମାର୍କ ସରକାର ସ୍ପଷ୍ଟ କରିଛନ୍ତି।ସୂଚନାଯୋଗ୍ୟ, ରୁଷ ଓ ଚୀନ୍‌ ଗତ କିଛି ବର୍ଷ ମଧ୍ୟରେ ଆର୍କଟିକ ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଥିଲେ ମଧ୍ୟ ଏହି ବିଶାଳ ବରଫାବୃତ ଦ୍ୱୀପ ଉପରେ କୌଣସି ଦାବି କରିନାହାନ୍ତି।