କୋପେନ୍ହେଗନ୍: ୫୨ ବର୍ଷ ରାଜୁତି କରିଥିବା ଡେନ୍ମାର୍କର ରାଣୀ ଦ୍ବିତୀୟ ମାର୍ଗ୍ରେଥେ ଜାନୁଆରି ୧୪ ତାରିଖରେ ସିଂହାସନ ଛାଡ଼ିବେ ବୋଲି ରବିବାର ଦିନ ଘୋଷଣା କରିଛନ୍ତି।
ତାଙ୍କ ଉତ୍ତରାଧିକାରୀ ଭାବେ ବଡ଼ପୁଅ ତଥା ଯୁବରାଜ ଫ୍ରେଡେରିକ୍ ରାଜା ହେବେ ବୋଲି ମଧ୍ୟ ସେ କହିଛନ୍ତି। ୧୯୭୨ରେ ସିଂହାସନ ଆରୋହଣ କରିଥିବା ୮୩ ବର୍ଷୀୟ ରାଣୀ ରାଣୀ ଦ୍ବିତୀୟ ମାର୍ଗ୍ରେଥେ ‘ଲାଇଭ୍ ଟିଭି’ରେ ପାରମ୍ପରିକ ନବବର୍ଷ ଅବ୍ୟବହିତ ପୂର୍ବ ବାର୍ତ୍ତାରେ ଦେବା ବେଳେ ଏଭଳି ଅପ୍ରତ୍ୟାଶିତ ଘୋଷଣା କରିଛନ୍ତି। ୫.୯ ନିୟୁତ ଡେନ୍ମାର୍କ ବାସିନ୍ଦାମାନଙ୍କ ମଧ୍ୟରୁ ଅଧିକାଂଶ ଟେଲିଭିଜନ୍ରେ ଏହା ଦେଖିଛନ୍ତି।
ଫେବ୍ରୁଆରି ମାସରେ କରାଯାଇଥିବା ସଫଳ ଅଣ୍ଟା ଅସ୍ତ୍ରୋପଚାର କଥା କହି ସେ କହିଛନ୍ତି, ଏ ଅସ୍ତ୍ରୋପଚାର ମତେ ଭବିଷ୍ୟତ ବିଷୟରେ ଚିନ୍ତା କରାଇବା ସ୍ବାଭାବିକ କଥା। ତାହା ହେଉଛି, ପରପିଢ଼ି ଉପରେ ଦାୟିତ୍ବ ନ୍ୟସ୍ତ କରିବା ଉଚିତ କି, ନୁହେଁ।
ମୁଁ ସ୍ଥିର କଲି ଏଇଟା ଉପଯୁକ୍ତ ସମୟ। ସ୍ନେହୀ ବାପାଙ୍କ ଉତ୍ତରାଧିକାରିଣୀ ଭାବେ ୫୨ ବର୍ଷ ଅତିବାହିତ କରିବା ପରେ ଡେନ୍ମାର୍କର ରାଣୀ ପଦରୁ ମୁଁ ୨୦୨୪ ଜାନୁଆରି ୧୪ରେ ଇସ୍ତଫା ଦେବି। ମୋ ବଡ଼ପୁଅ ଯୁବରାଜ ଫ୍ରେଡେରିକ୍ ସିଂହାସନ ଆରୋହଣ କରିବ।
ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବର ମାସରେ ବ୍ରିଟେନ୍ର ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ମୃତ୍ୟୁ ପରେ ରାଣୀ ଦ୍ବିତୀୟ ମାର୍ଗ୍ରେଥେ ହେଉଛନ୍ତି ଦୀର୍ଘ ବର୍ଷ ଧରି ରାଜୁତି କରୁଥିବା ୟୁରୋପୀୟ ରାଣୀ।
ଆଜୀବନ କର୍ତ୍ତବ୍ୟ ପ୍ରତି ନିଷ୍ଠା ରଖିଥିବା ରାଣୀ ଦ୍ବିତୀୟ ମାର୍ଗ୍ରେଥେଙ୍କୁ ଡେନ୍ମାର୍କର ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡେରିକ୍ସେନ୍ ଧନ୍ୟବାଦ ଜ୍ଞାପନ କରିଛନ୍ତି।