ନୂଆଦିଲ୍ଲୀ: ସୋମବାର ସକାଳ ୬ଟାରେ କୁହୁଡ଼ି ଯୋଗୁଁ ଦିଲ୍ଲୀ ସମେତ ୬ଟି ରାଜ୍ୟର ବିମାନବନ୍ଦରରେ ଶୂନ୍ୟ ଦୃଶ୍ୟମାନତା (ଜିରୋ ଭିଜିବିଲିଟି) ରେକର୍ଡ କରାଯାଇଛି। ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ରାଜଧାନୀ ଦିଲ୍ଲୀ ଏବଂ ପାଲମ ବିମାନବନ୍ଦର ବ୍ୟତୀତ ପଞ୍ଜାବର ଅମୃତସର, ଉତ୍ତରପ୍ରଦେଶର ଆଗ୍ରା ଓ ପ୍ରୟାଗରାଜ, ମଧ୍ୟପ୍ରଦେଶର ଗ୍ୱାଲିୟର, ରାଜସ୍ଥାନର ଜୈସଲମେରରେ ଶୂନ୍ୟ ଦୃଶ୍ୟମାନତା ରେକର୍ଡ କରାଯାଇଛି। ଦିଲ୍ଲୀ ବ୍ୟତୀତ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନରେ ମଧ୍ୟ ଘନ କୁହୁଡ଼ି ଲାଗି ରହିଛି। ପାଣିପାଗ ବିଭାଗ କହିଛି ଯେ ନୂଆବର୍ଷରେ ଶୀତ ବଢ଼ିପାରେ। ଡିସେମ୍ବର ୨୫ରୁ ୨୮ ମଧ୍ୟରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ଚଣ୍ଡୀଗଡ଼ରେ କୁହୁଡ଼ି ବଢ଼ିବ। ପଞ୍ଜାବ ଓ ହରିୟାଣାରେ ଶୀତ ଲହରି ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଦେଶର କୁହୁଡ଼ି ମାନଚିତ୍ର ଜାରି କରାଯାଇଛି। ଏଥିରେ ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ମଧ୍ୟପ୍ରଦେଶ, ଆସାମ, ମେଘାଳୟ, ମିଜୋରାମ, ତ୍ରିପୁରା, ଆନ୍ଧ୍ରପ୍ରଦେଶ ଏବଂ ପୂର୍ବ ତେଲେଙ୍ଗାନାର କିଛି ଅଂଶ ରହିଛି। ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଡିସେମ୍ବର ୩୧ରୁ ଏକ ନୂଆ ପଶ୍ଚିମୀ ବିକ୍ଷୋଭ ସକ୍ରିୟ ହେବ। ଏହାର ପ୍ରଭାବରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଓ ତାମିଲନାଡୁରେ ମେଘୁଆ ଆକାଶ ସହ ବର୍ଷା ହେବ। ଏହାର ପ୍ରଭାବ ଜାନୁଆରି ପହିଲାରେ ମଧ୍ୟ ରହିବ। ତେଣୁ ଏଥର ନୂଆବର୍ଷ ଆରମ୍ଭରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜସ୍ଥାନର ବିଭିନ୍ନ ସହରରେ ଆଜି ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଗଙ୍ଗାନଗର, ହନୁମାନଗଡ଼, ବିକାନେର, ଚୁରୁ ସମେତ କୋଟା, ଭରତପୁର, ବାରାନ ଅଞ୍ଚଳରେ କୁହୁଡ଼ି ସହ ହାଲୁକା ଥଣ୍ଡା ପବନ ବହିଛି। ଫଳରେ ଏହି ସବୁ ସହରର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ତଳକୁ ଖସି ଆସିଛି। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ବର୍ଷର ଶେଷ ଦିନରେ ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର ସକାଳେ ମଧ୍ୟପ୍ରଦେଶରେ କୁହୁଡ଼ି ପଡ଼ିଥିଲା। ରାଇସେନରେ ଦୃଶ୍ୟମାନତା ୫୦ ମିଟରରୁ କମ୍ ଥିଲା। ଭୋପାଳ, ଜବଲପୁର, ଗ୍ୱାଲିୟର, ଇନ୍ଦୋର, ଉଜ୍ଜୟିନୀ ଓ ଅନ୍ୟାନ୍ୟ ସହରରେ ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ମେଘ ଓ ବର୍ଷା ସହ ନୂଆ ବର୍ଷ ଆରମ୍ଭ ହେବ। ଉତ୍ତରପ୍ରଦେଶର ଝାନ୍ସିରେ ଘନ କୁହୁଡ଼ି ଯୋଗୁଁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।
ଯେଉଁଥିରେ ଗୋଟିଏ ପରେ ଗୋଟିଏ ମିନି ଟୁରିଷ୍ଟ ବସ୍ ସମେତ ୩ଟି ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫ ଜଣ ଆହତ ହୋଇଛନ୍ତି। ହିମାଚଳ ପ୍ରଦେଶରେ ନୂଆବର୍ଷରେ ତୁଷାରପାତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଡିସେମ୍ବର ୩୦ରେ ପଶ୍ଚିମୀ ବିକ୍ଷୋଭ ପୁଣି ସକ୍ରିୟ ହେବ। ଏଥିଯୋଗୁଁ ଡିସେମ୍ବର ୩୦ ଓ ୩୧ ତାରିଖରେ ପର୍ବତରେ ତୁଷାରପାତ ହୋଇପାରେ। ଡିସେମ୍ବର ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ସ୍ୱଚ୍ଛ ରହିବ। ଫଳରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଛତିଶଗଡ଼ରେ ପଶ୍ଚିମା ପବନ ବହିବା ବନ୍ଦ ହେବା ପରେ ପୁଣି ଶୀତର ପ୍ରକୋପ ବଢିବାରେ ଲାଗିଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ହ୍ରାସ ପାଇପାରେ। ସକାଳ ପର୍ଯ୍ୟନ୍ତ ରାୟପୁର, ବିଳାସପୁର ଓ ଦୁର୍ଗ ଘନ କୁହୁଡ଼ିରେ ବୁଡ଼ି ରହିଥିଲା। ବିହାରରେ ଗତ କିଛି ଦିନ ହେବ ପଶ୍ଚିମା ପବନର ପ୍ରଭାବରେ ପ୍ରବଳ ଥଣ୍ଡାରୁ ଲୋକେ ଆଶ୍ୱସ୍ତି ପାଇଛନ୍ତି। ଏବେ ପଶ୍ଚିମା ପବନର ପ୍ରଭାବ କମିବାରେ ଲାଗିଛି। ଫଳରେ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଗୟାରେ ରବିବାର ସର୍ବାଧିକ ତାପମାତ୍ରା ୧୨.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।
ବିମାନ ଚଳାଚଳ ବାଧାପ୍ରାପ୍ତ
ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା ଏବଂ ହାଇଦ୍ରାବାଦରେ ଘନ କୁହୁଡ଼ି ଯୋଗୁଁ ଅନେକ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା। ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ଯାତ୍ରୀମାନଙ୍କୁ ବିମାନ ସମ୍ପର୍କରେ ସୂଚନା ପାଇଁ ସଂପୃକ୍ତ ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିବା ୮ଟି ବିମାନରୁ ୭ଟି ଜୟପୁରକୁ ଓ ଗୋଟିଏ ଅହମଦାବାଦକୁ ଡାଇଭର୍ଟ କରାଯାଇଥିବା ବେଳେ ରାଜଧାନୀର କେତେକ ସ୍ଥାନରେ ଦୃଶ୍ୟମାନତା ଶୂନକୁ ଖସି ଆସିଛି। ଦିଲ୍ଲୀ ବିମାନବନ୍ଦର ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରି ଜାରି କରି କହିଛି, ବିମାନବନ୍ଦରରେ ଅବତରଣ ଏବଂ ଉଡ଼ାଣ ଜାରି ରହିଥିବା ବେଳେ ସିଏଟି-୩ ସୁବିଧା ନ ଥିବା ବିମାନ ପ୍ରଭାବିତ ହୋଇପାରେ। ବିମାନର ଅପଡେଟ୍ ସୂଚନା ପାଇଁ ସଂପୃକ୍ତ ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ସିଏଟି-୩ ଯନ୍ତ୍ର ହେଉଛି ଏକ ଆଣ୍ଟି-ଫଗ୍ ଲ୍ୟାଣ୍ଡିଂ ସିଷ୍ଟମ୍ ଯାହା ଖରାପ ଦୃଶ୍ୟମାନତା ସମୟରେ କାର୍ଯ୍ୟ କରିଥାଏ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସୂଚନା ଅନୁଯାୟୀ, ସୋମବାର ସକାଳ ସାଢ଼େ ୫ଟାରୁ ଦିଲ୍ଲୀ ବିମାନବନ୍ଦରରେ ଶୂନ୍ୟ ଦୃଶ୍ୟମାନତା ସହ ଘନ କୁହୁଡ଼ି ଲାଗି ରହିଥିଲା ଏବଂ ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ଦୃଶ୍ୟମାନତା ମାତ୍ର ୧୨୫ ମିଟରକୁ ଖସି ଆସିଛି।