ଦେଓଘର ତ୍ରିକୂଟରେ କେବୁଲ କାର ଦୁର୍ଘଟଣା: ଉଦ୍ଧାର ବେଳେ ତଳକୁ ଖସି ପଡ଼ି ମହିଳାଙ୍କ ମୃତ୍ୟୁ

ଦେଓଘର: ଗତକାଲି ଦେଓଘରର ତ୍ରିକୂଟ ପର୍ବତରେ ଦୁଇଟି କେବୁଲ କାର ମଧ୍ୟରେ ଦୁର୍ଘଟଣା ଘଟିବା ଯୋଗୁ ୩ ଜଣ ମୃତ୍ୟୁ ହୋଇଥିଲା। ଏହା ସହ ଘଣ୍ଟା ଘଣ୍ଟା କାଳ ୪୮ ଜଣ ପର୍ଯ୍ୟଟକ ରୋପ୍‌ୱେରେ ଫସି ରହିଥିଲେ। ଦୁର୍ଘଟଣା ପରେ ଥର ଥର କରି ପର୍ଯ୍ୟଟକଙ୍କୁ ସ୍ଥାନୀୟ ବାସିନ୍ଦା, ପ୍ରଶାସନ, ସେନା ଓ ଏନ୍‌ଡିଆର୍‌ଏଫ୍‌(ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ) ଟିମ୍ ଉଦ୍ଧାର କରିବା ଜାରି ରଖିଛନ୍ତି। ଉଦ୍ଧାରକାର୍ଯ୍ୟ ଚାଲିଥିବା ବେଳେ ଜଣେ ମହିଳା ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି। ତଳକୁ ଖସିବା ପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଝୌସାଗଡ଼ିରୁ ଆସିଥିବା ମହିଳାଙ୍କୁ ଉଦ୍ଧାର କରାଯାଉଥିବା ବେଳେ ସେ ଧରିଥିବା ଦୌଡ଼ି ଛିଡ଼ିଯାଇଥିଲା। ଏତେ ଉଚ୍ଚରୁ ତଳେ ପଡ଼ିବା ପରେ ମହିଳା ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଥିଲେ ବି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ମଧ୍ୟ ଉଦ୍ଧାର ସମୟରେ ଜଣେ ଯୁବକ ତଳକୁ ଖସିପଡ଼ି ମୃତ୍ୟୁବରଣ କରିଥିଲେ।

ତେବେ ଗତକାଲି ରାତି ହୋଇଯିବାରୁ ଉଦ୍ଧାରକାର୍ଯ୍ୟ ବନ୍ଦ ହୋଇଥିଲା। ଏହାପରେ ଫସିଥିବା ପର୍ଯ୍ୟଟଙ୍କ ପାଖକୁ ଡ୍ରୋନ୍ ସାହାଯ୍ୟରେ ସେମାନଙ୍କ ପାଖକୁ ଖାଦ୍ୟ ଓ ପାନୀୟ ପଠାଯାଇଥିଲା। ଆଜି ସକାଳ ୭.୫୦ରେ ପୁଣି ଥରେ ଫସି ରହିଥିବା ପର୍ଯ୍ୟଟଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ବାୟୁସେନା। ୧୫ଜଣଙ୍କ ମଧ୍ୟରୁ ପ୍ରଥମେ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସକାଳ ୮.୪୦ ଭିତରେ ଅନ୍ୟ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ପରେ ୩ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ କେବୁଲ କାର ଭିତରେ ୫ଜଣ ଫସି ରହିଥିବା ଜଣାପଡ଼ିଛି। ତୁରନ୍ତ ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।

ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇ ଦେଓଘର ସଦର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନ ଥିଲେ ମଧ୍ୟ କୌଣସି ବୈଷୟିକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର