୧୫୦୦ଫୁଟ ଉଚ୍ଚରେ ଏମିତି ଧକ୍କା ହୋଇଥିଲା କେବୁଲ କାର, ସାମ୍ନାକୁ ଆସିଲା ଦୁର୍ଘଟଣା ପୂର୍ବର ଭିଡିଓ: ପର୍ଯ୍ୟଟକ ବଖାଣିଲେ ଭୟାବହ ଅନୁଭୂତି

ଦେଓଘର: ଝାଡ଼ଖଣ୍ଡ କେବୁଲ କାର ଦୁର୍ଘଟଣା ପରେ ଆକାଶରେ ଝୁଲି ରହିଥିବା ୪୦ରୁ ଅଧିକ ପର୍ଯ୍ୟଟକଙ୍କ ଉଦ୍ଧାର କାର୍ଯ୍ୟ ମଙ୍ଗଳବାର ଶେଷ ହୋଇଛି। ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁଇଟି କେବୁଲ କାର ଧକ୍କା ହେଉଥିବା ଦେଖବାକୁ ମିଳୁଛି। ଧକ୍କା ହେବା କ୍ଷଣି କେବୁଲ କାର ଭିତରେ ବସିଥିବା ପର୍ଯ୍ୟଟକ ଭୟରେ ଚିତ୍କାର କରିବା ଆରମ୍ଭ କରିଥିଲେ। ଏହି ଭିଡିଓକୁ କେବୁଲ କାର ଭିତରେ ଥିବା ପର୍ଯ୍ୟଟକ ରେକର୍ଡ କରିଥିବା ଜଣାପଡ଼ିଛି।

ଭିଡିଓରେ ଦେଓଘର ତ୍ରିକୂଟ ପର୍ବତର ଉଚ୍ଚତା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଯାହାର ଉଚ୍ଚତା ୧୫୦୦ଫୁଟ ରହିଛି। ଭିଡିଓରେ ଦେଖିବାକୁ ମିଳୁଛି କେମିତି ଗୋଟିଏ ଝଟକାରେ ରୋପୱେ ହଲିବାକୁ ଲାଗିଥିଲା।

ତେବେ ରୋପୱେ କାରରେ ଫସି ରହିଥିବା ବିହାରର ମଧୁବନି ଜିଲ୍ଲାର ଜଣେ ବ୍ୟକ୍ତି କହିଛନ୍ତି, ‌ଯେତେବେଳେ ଆମେ ଫସି ଯାଇଥିଲୁ, ଲାଗିଥିଲା କି ଆମ ଭିତରୁ କେହି ଜୀବିତ ରହିବୁ ନାହିଁ। ଆମ ସମସ୍ତଙ୍କ ମୃତ୍ୟୁ ହୋଇଯିବ। କିନ୍ତୁ ଦେବଦୂତ ସାଜି ଉଦ୍ଧାରକାରୀ ଦଳ ଆମ ଜୀବନ ବଞ୍ଚାଇ ଦେଇଥିଲେ।

ଦେଓଘର ତ୍ରିକୂଟ ପର୍ବତରେ ଭାରତର ଉଚ୍ଚତମ ‌ରୋପ୍‌ୱେ ବ୍ୟବସ୍ଥା କରାଯାଇଛି। କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁଇଟି କେବୁଲ କାର ଭିତରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହେବା ସହ ୪୮ ଜଣ ୧୫୦୦ ଫୁଟ ଉଚ୍ଚରେ ଆକାଶରେ ଫସି ରହିଥିଲେ।

ପାହାଡ଼ପର୍ବତ ଓ ଜଙ୍ଗଲ ଉପରେ ରୋପ୍‌ୱେ ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ସହଜ ହୋଇ ନ ଥିଲା ଏବଂ ଏଥିପାଇଁ ବାୟୁସେନାର ଦୁଇଟି  ଏମଆଇ ୧୭ ହେଲିକପ୍ଟରକୁ ନିୟୋଜନ କରାଯାଇଥିଲା। ଏହି ଦୁର୍ଘଟଣାରେ ୨ ଜଣ ଓ ପରେ ଉଦ୍ଧାର କାର୍ଯ୍ୟ ସମୟରେ ଆଉ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି।

ଏହି କାର୍ଯ୍ୟରେ ଭାରତୀୟ ବାୟୁସେନା, ସ୍ଥଳସେନା, ଏନ୍‌ଡିଆର୍‌ଏଫ୍‌ (ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ), ଆଇଟିବିପି (ଇଣ୍ଡୋ-ତିବ୍ବତୀୟ ସୀମା ପୁଲିସ) ଏବଂ ଜିଲ୍ଲା ପ୍ରଶାସନ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର