ପେନିସିଲିନ୍ ପାଇଁ ଚୀନ୍ ଉପରେ ନିର୍ଭରଶୀଳ: ଦିନ ଥିଲା ଭାରତ ଆତ୍ମନିର୍ଭରଶୀଳ ଥିଲା

ନୂଆଦିଲ୍ଲୀ: ଦିନ ଥିଲା ସଂକ୍ରମଣ ନିବାରଣ ଓ ଉପଚାର ଲାଗି ବ୍ୟବହୃତ ହେଉଥିବା‌ ପେନିସିଲିନ୍‌ର ଏକ ବଡ଼ ଉତ୍ପାଦନକାରୀ ଥିଲା ଭାରତ। କମ୍ ଦାମ୍‌ରେ ଉତ୍ପାଦନ କରିପାରୁଥିବାରୁ ଏହା ୟୁରୋପକୁ ପଛରେ ପକାଇ ଦେଇଥିଲା। ଷାଠିଏ ଦଶକ ବେଳକୁ ପେନିସିଲିନ୍ ତିଆରିରେ ଆତ୍ମନିର୍ଭରଶୀଳ ଥିବା ଭାରତ ପରବର୍ତ୍ତୀ ତିନି ଦଶନ୍ଧିରେ ସେହି ମାନ୍ୟତା ବଜାୟ ରଖିବାରେ ବିଫଳ ହୋଇଥିଲା। ଏବେ ଏହା ଚୀନ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଛି। ଔଷଧ ତିଆରିରେ ବ୍ୟବହୃତ ହେଉଥିବା ଉପାଦାନ ଲାଗି ଚୀନ୍‌ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବାର ଫଳ କ’ଣ ହୋଇପାରେ ତାହା କରୋନା ମହାମାରୀ ସମୟରେ ଜଣାପଡ଼ିଥିଲା। ଗୋଟିଏ ବି ଗୁଳି ନ ଫୁଟାଇ କିଭଳି ଚୀନ୍ ଯୁଦ୍ଧ ଜିତିପାରେ ତାହା ସେଥିରୁ ଜଣାପଡ଼ିଥିଲା। ଗତ ମାସରେ ଅରବିନ୍ଦ ଫାର୍ମା ୨୪୦୦ କୋଟି ଟଙ୍କାନ ନିବେଶରେ ଏକ ପେନିସିଲିନ କାରଖାନା ସ୍ଥାପନ କରିବାକୁ ଘୋଷଣା କରିଛି।

ପଚାଶ ଓ ଷାଠିଏ ଦଶକ ସମୟରେ ଆଲେମ୍ବିକ୍, ସରାଭାଇ କେମିକାଲ୍‌ସ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍‌ସ ଏବଂ ଇଣ୍ଡିଆ ଡ୍ରଗ୍‌ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍‌ସ ଭଳି ଚର୍ଚ୍ଚିତ କମ୍ପାନି ପେନିସିଲିନ୍ ତିଆରି କରିବାରେ ବଡ଼ ପଦକ୍ଷେପ ଗ୍ରହଣ କରିଥିଲେ। ସେମାନେ ବିପୁଳ ନିବେଶ କରିଥିଲେ। ସୁଲଭ ମୂଲ୍ୟର ପେନିସିଲିନ ତିଆରି କରି ସେ ୟୁରୋପୀୟ ନିର୍ମାତାମାନଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଏସ୍‌ପିଆଇସି, ଟୋରେଣ୍ଟ ଫାର୍ମା ଓ ଷ୍ଟାଣ୍ଡାର୍ଡ ଫାର୍ମା ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଥିଲେ। ସରକାରଙ୍କ ସମର୍ଥିତ ସଂସ୍ଥା ଆଇଡିପିଏଲ୍‌ ମଧ୍ୟ ପେନିସିଲିନ୍ ଉତ୍ପାଦନ କରୁଥିଲା। ସତୁରି ଓ ଅଶି ଦଶକ ବେଳକୁ ପେନିସିଲିନ, ଜେଣ୍ଟାମାଇସିନ, ‌ଷ୍ଟ୍ରେପ୍ଟୋମାଇସିନ ଆଦିର ଉତ୍ପାଦନକୁ ସରକାର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାଇଁ ସଂରକ୍ଷିତ ଥିଲେ। ନବେ ଦଶକ ପର୍ଯ୍ୟନ୍ତ ମଧ୍ୟ ଔଷଧ କମ୍ପାନିଗୁଡ଼ିକ ଦେଶ ଭିତରୁ ବିଭିନ୍ନ ଉପାଦାନ ହାସଲ କରୁଥିଲେ। ଏହା ପରେ ଚୀନ୍ କମ୍ପାନିଗୁଡ଼ିକର ପ୍ରବେଶ ଆରମ୍ଭ ହୋଇଥିଲା। ଅଳ୍ପ ସମୟ ଭିତରେ ସେମାନେ ଭାରତ ଯୋଗାଣକାରୀଙ୍କ ବ୍ୟବସାୟକୁ ଠପ୍ କରିଦେଇଥିଲେ।

ଅନ୍ୟତମ ଲୋକପ୍ରିୟ ପେନିସିଲିନ ଡେରିଭେଟିଭ୍‌ ‘ଆମୋକ୍ସିଲିନ୍‌’ର ଆନ୍ତର୍ଜାତିକ ଦାମ୍ କେଜି ପିଛା ୨୫-୩୦ ଡଲାର ଥିବା ବେଳେ ଚୀନ୍ କମ୍ପାନିଗୁଡ଼ିକ ତାହାକୁ ୯-୧୦ ଡଲାରରେ ଉପଲବ୍ଧ କରାଇଥିଲେ। ଚୀନ୍‌ରୁ କମ୍ ଦାମ୍‌ରେ ଉପାଦାନ ଆସିବା ସତ୍ତ୍ବେ ଔଷଧ ଦାମ୍ ଅଧିକ ରହୁଥିବା ଜାଣିବା ପରେ ସରକାର ଔଷଧ ମୂଲ୍ୟ ନିୟନ୍ତ୍ରଣ ନିର୍ଦ୍ଦେଶ (ଡିପିସିଓ) ପ୍ରଚଳନ କରିଥିଲେ। ଭାରତୀୟ କଞ୍ଚାମାଲ ଉତ୍ପାଦନକାରୀମାନେ ବିପୁଳ କ୍ଷତି ସହିଥିଲେ ଏବଂ ନିଜ କାରବାର ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଯେତେବେଳେ ଭାରତୀୟ କମ୍ପାନିଗୁଡ଼ିକ ଚୀନ୍ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଲେ, ‌ସେହି ସମୟରେ ଚୀନ୍ ଏହାର କଞ୍ଚାମାଲ ଦାମ୍ ୪ ଗୁଣା ବଢ଼ାଇ ଦେଇଥିଲା। ଚୀନ୍‌ରୁ ହେଉଥିବା ଆମଦାନିକୁ ନେଇ ସରକାର ସଚେତନ ହୋଇଥିଲେ ମଧ୍ୟ ଆତ୍ମନିର୍ଭରଶୀଳ ହେବା ଲାଗି କୌଣସି ଠୋସ୍‌ ଯୋଜନା ପ୍ରସ୍ତୁତ ହୋଇପାରିନାହିଁ। ଏବେବି ଚୀନ୍ ଯୋଗାଣକାରୀମାନେ ମହାମାରୀ ସମୟଠାରୁ ଅଧା ଦାମ୍‌ରେ କଞ୍ଚାମାଲ ପ୍ରଦାନ କରୁଛନ୍ତି। ସେଥିପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ସ୍କିମ୍‌କୁ ନେଇ ଔଷଧ ନିର୍ମାତାମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁନାହିଁ।

ସମ୍ବନ୍ଧିତ ଖବର