ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି କହିଛନ୍ତି ଯେ ଅନ୍ୟ ଦେଶ ଉପରେ ନିର୍ଭରତା ହେଉଛି ଭାରତର ସବୁଠାରୁ ବଡ଼ ଶତ୍ରୁ, ଯାହା ଦେଶର ଆତ୍ମସମ୍ମାନକୁ ଆଘାତ ଦିଏ। ଶୁକ୍ରବାର ଗୁଜରାଟର ଭାବନଗରରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ‘ଆତ୍ମନିର୍ଭର ଭାରତ ହେଉଛି ୧୦୦ ଦୁଃଖର ଗୋଟିଏ ଔଷଧ। ଏହା କେବଳ ଅର୍ଥନୀତିରେ ନୁହେଁ, ବରଂ ସମସ୍ତ କ୍ଷେତ୍ରରେ ଆମକୁ ସଶକ୍ତ କରିବ।’   ଆତ୍ମନିର୍ଭରତା ଭାରତର ସ୍ୱାଭିମାନ ଓ ସମୃଦ୍ଧିର ଚାବିକାଠି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଗତ ଦଶକରେ ଭାରତ ଉତ୍ପାଦନ, ନବୀକରଣ ଓ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଆଡ଼କୁ ବଡ଼ ପଦକ୍ଷେପ ନେଇଛି।  ଆମେ ପୂର୍ବରୁ ଅନ୍ୟ ଦେଶରୁ ଅସ୍ତ୍ରଶସ୍ତ୍ର ଓ ପ୍ରଯୁକ୍ତି ଉପରେ ନିର୍ଭର କରୁଥିଲୁ, ଯାହା ଆମର ସୁରକ୍ଷା ଓ ସ୍ୱାଭିମାନକୁ ଦୁର୍ବଳ କରୁଥିଲା। ଏବେ ଆମେ ନିଜର ପ୍ରତିରକ୍ଷା ଉତ୍ପାଦନକୁ ବଢ଼ାଇଛୁ ଓ ‘ମେକ୍ ଇନ୍ ଇଣ୍ଡିଆ’ ମାଧ୍ୟମରେ ବିଶ୍ୱବଜାରରେ ପ୍ରତିଯୋଗିତା କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଉଦାହରଣ ଦେଇ କହିଛନ୍ତି ଯେ ଭାରତୀୟ ଉତ୍ପାଦ ଏବେ ବିଶ୍ୱରେ ନିଜର ସ୍ଥାନ ସୃଷ୍ଟି କରୁଛି ଏବଂ ଏହା ଯୁବକମାନଙ୍କ ପାଇଁ ନୂଆ ସୁଯୋଗ ଆଣୁଛି।
ମୋଦୀ କୃଷି, ଶିଳ୍ପ ଓ ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭରତାର ଆବଶ୍ୟକତା ଉପରେ ଜୋର୍‌ ଦେଇଛନ୍ତି। ସେ କହିଛନ୍ତି, ‘କୋଭିଡ ମହାମାରୀ ଆମକୁ ଶିଖାଇଛି ଯେ ନିଜର ସାମର୍ଥ୍ୟ ବିନା ଆମେ ବିଶ୍ୱରେ ତିଷ୍ଠି ପାରିବୁ ନାହିଁ। ଆମେ ନିଜେ ଟିକା ଉତ୍ପାଦନ କରି ବିଶ୍ୱକୁ ସାହାଯ୍ୟ କରିଛୁ।’ ସେ ଏହା ମଧ୍ୟ କହିଛନ୍ତି ଯେ ଆତ୍ମନିର୍ଭର ଭାରତ କେବଳ ଅର୍ଥନୈତିକ ଉନ୍ନତି ନୁହେଁ, ଏହା ଦେଶବାସୀଙ୍କ ଆତ୍ମବିଶ୍ୱାସ ଓ ଗୌରବର ପ୍ରତୀକ। ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି,  ସେମାନେ  ଉଦ୍ୟମଶୀଳତା ମାଧ୍ୟମରେ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରନ୍ତୁ।  ଆମର ଯୁବକମାନେ ହେଉଛନ୍ତି ଆମର ଶକ୍ତି। ସେମାନଙ୍କ ହାତରେ ଭାରତର ଭବିଷ୍ୟତ ରହିଛି ବୋଲି ପ୍ରଧାନମନ୍ତ୍ରୀ  କହିଛନ୍ତି। ଏହି ଆହ୍ୱାନ ସହ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ଭୋକାଲ ଫର୍‌ ଲୋକାଲ’ ଅଭିଯାନକୁ ଆଗେଇ ନେବାକୁ ଅନୁରୋଧ କରିଛନ୍ତି। ଆତ୍ମନିର୍ଭରତା ମାଧ୍ୟମରେ ଭାରତ କେବଳ ନିଜର ସୁରକ୍ଷା ଓ ସମୃଦ୍ଧି ନିଶ୍ଚିତ କରିବ ନାହିଁ, ବରଂ ବିଶ୍ୱ ମଞ୍ଚରେ ଏକ ଶକ୍ତିଶାଳୀ ଭୂମିକାରେ ଭାବେ ଉଭା ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Advertisment