ବିମାନରୁ ନ ବାହାରିଲେ ଟାଣିି ବାହାରେ ଫିଙ୍ଗିଦେବୁ : ଯାତ୍ରୀଙ୍କୁ ଏମିତି କହିଲେ ଇଣ୍ଡିଗୋ କର୍ମଚାରୀ

ମୁମ୍ବାଇ : କିଛି ଦିନ ପୂର୍ବରୁ ଇଣ୍ଡିଗୋ ବିମାନରେ ଯାତ୍ରୀମାନଙ୍କୁ ଖରାପ ବ୍ୟବହାର କରିଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା ଇଣ୍ଡିଗୋ । ଏବେ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ଡିସେମ୍ବରରେ ଯାତ୍ରୀମାନଙ୍କୁ ଇଣ୍ଡିଗୋ ବିମାନରୁ ବାହାରକୁ ଫିଙ୍ଗି ଦେବାକୁ ଧମକ ଦିଆଯାଇଥିବା କିଛି ଯାତ୍ରୀ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ବିମାନ ଉଡ଼ାଣ ରଦ୍ଦ ହେବାରୁ ଇଣ୍ଡିଗୋ ବିମାନ ଯାତ୍ରୀମାନଙ୍କୁ ବିମାନରୁ ନ ବାହାରିଲେ ଜବରଦସ୍ତ ବାହାରେ ଫିଙ୍ଗି ଦେବୁ ବୋଲି ଇଣ୍ଡିଗୋ କର୍ତ୍ତୃପକ୍ଷ କହିଥିବା ଜଣେ ଯାତ୍ରୀ ନିଜ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ । ଯାତ୍ରୀ ଜଣଙ୍କ ମହାରାଷ୍ଟ୍ରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ମୁଖ୍ୟ କାର୍ଯ୍ୟକର୍ତ୍ତା ବୋଲି ଜଣା ପଡ଼ିଛି । ତାଙ୍କ କହିବା ଅନୁଯାୟୀ, ପ୍ରଥମେ ଯାତ୍ରୀମାନଙ୍କୁ ବୋର୍ଡିଙ୍ଗ୍‌ କରିବା ପାଇଁ କହି ପରେ ବିମାନ ଉଡାଣକୁ ରଦ୍ଦ କରିଥିଲା ଇଣ୍ଡିଗୋ । ଏହା ପରେ ସବୁ ଯାତ୍ରୀମାନଙ୍କ ସହ ଖରାପ ବ୍ୟବହାର କରିବା ସହ ତାଙ୍କୁ ଜବରଦସ୍ତ ବାହାରକୁ ଯିବା ପାଇଁ ଇଣ୍ଡିଗୋ କର୍ତ୍ତୃପକ୍ଷ କହିଥିଲେ ବୋଲି ଯାତ୍ରୀ ଜଣଙ୍କ ଲେଖିଛନ୍ତି ।

ଅନ୍ୟପକ୍ଷରେ ଯାତ୍ରୀଙ୍କର ଏଭଳି ଅରୋପକୁ ଅସ୍ୱୀକାର କରିଛି ଇଣ୍ଡିଗୋ । କମ୍ପାନିର କହିବା ଅନୁଯାୟୀ ଇଣ୍ଡିଗୋ ବିମାନ 6E-633(କୋଲକାତା-ପାଟନା-ଲକ୍ଷ୍ନୌ)ଡ଼ିସେମ୍ବର ୩୦ ରାତି ୮.୩୦ରେ ପାଟନା ଛାଡ଼ିବ ବୋଲି ଯୋଜନା କରାଯାଇଥିଲା । କିନ୍ତୁ ପାଗ ଖରାପ ହେବାରୁ ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ବିମାନକୁ ରଦ୍ଦ କରାଯାଇଥିଲା । ବିମାନ ରଦ୍ଦ ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନ ଯୋଗେ ସେମାନଙ୍କର ଯିବା ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ସୂଚନା ଦିଆ ଯାଇଥିଲା । କିନ୍ତୁ ବିମାନ ମଧ୍ୟରେ ଥିବା ୨୦ ଜଣ ଯାତ୍ରୀ ବିମାନରୁ ବାହାରିବାକୁ ରାଜି ହୋଇ ନଥିଲେ । ଆମ କର୍ମଚାରୀମାନେ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବିମାନରୁ ବାହାରି ନ ଥିଲେ ବୋଲି ଇଣ୍ଡିଗୋ ତରଫରୁ କୁହାଯାଇଛି ।

ସମ୍ବନ୍ଧିତ ଖବର