ଫେବ୍ରୁଆରିସୁଦ୍ଧା ଏସ-୪୦୦ର ମୁତୟନ କାମ ସଂପୂର୍ଣ୍ଣ ହେବ ; ରେଞ୍ଜରେ ସମଗ୍ର ପାକିସ୍ତାନ, ଚୀନର କିଛି ଅଂଶ

ନୂଆଦିଲ୍ଲୀ : ପଞ୍ଜାବର ଏକ ବାୟୁସେନା ଘାଟିରେ ଭାରତ ପକ୍ଷରୁ ନିଜର ପ୍ରଥମ ରେଜିମେଣ୍ଟ୍ ଏସ୍-୪୦୦ ଟ୍ରିଅମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ ମୁତୟନ ଆରମ୍ଭ କରାଯାଇଛି । ଆସନ୍ତା ଫେବ୍ରୁଆରି ସୁଦ୍ଧା ଏହି ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ମୁତୟନ କାମ ଶେଷ ହେବ ବୋଲି ଜଣାପଡ଼ିଛି । ଏବେ ସଂପୃକ୍ତ ସ୍ଥାନକୁ ଏସ-୪୦୦ର ଉପକରଣଗୁଡ଼ିକ ପଠାଯାଉଛି । ତେବେ ସୁରକ୍ଷା କାରଣରୁ ଏହି ସ୍ଥାନକୁ ଗୋପନ ରଖାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଏସ-୪୦୦କୁ ଏପରି ସ୍ଥାନରେ ମୁତୟନ କରାଯାଉଛି ଯେଉଁଠାରୁ ଏହାର ରେଞ୍ଜରେ ସମଗ୍ର ପାକିସ୍ତାନ ଆସୁଥିବାବେଳେ ଚୀନର କେତେକ ଅଞ୍ଚଳ ଆସୁଛି । ଏହା ମଧ୍ୟରେ ଲଦାଖ ନିକଟରେ ଥିବା ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି ) ଆସୁଛି । ଏସ-୪୦୦ ଲାଗିବା ପରେ ଏସବୁ ଅଞ୍ଚଳରେ ଭାରତର ସୁରକ୍ଷା ବୃଦ୍ଧି ପାଇବ ।

ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ( ୪୦ ହଜାର କୋଟି ଟଙ୍କା)ର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବାର ଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ପ୍ରଥମ ରେଜିମେଣ୍ଟର ଯୋଗାଣ ପ୍ରାୟ ଏକ ବର୍ଷ ବିଳମ୍ବିତ ହୋଇଥିଲା ।

 

 

ସମ୍ବନ୍ଧିତ ଖବର