ରାଏବରେଲି: ଉତ୍ତରପ୍ରଦେଶର ରାଏବରେଲିରେ ରେଳବାଇରେ କାର୍ଯ୍ୟରତ ଜଣେ ଡାକ୍ତର ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିବା ଘଟଣା ରେଳବାଇ କଲୋନିରେ ଶୋକର ଛାୟା ଖେଳାଇଦେଇଛି। ରେଳବାଇରେ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଥିବା ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅରୁଣ କୁମାର ରାୟବରେଲିସ୍ଥିତ ମଡର୍ଣ୍ଣ ରେଲ କୋଚ୍ ଫ୍ୟାକ୍ଟ୍ରିରେ ଅବସ୍ଥାପିତ ଥିଲେ। ସେ ଅବସାଦଗ୍ରସ୍ତ ଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ମିର୍ଜାପୁରର ବାସିନ୍ଦା ଡାକ୍ତର କୁମାର ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରାଏବରେଲିସ୍ଥିତ ରେଲୱେ କ୍ୱାର୍ଟର୍ସରେ ରହୁଥିଲେ।

Advertisment

ଶେଷ ଥର ପାଇଁ ରବିବାର ସେମାନଙ୍କୁ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଦୁଇ ଦିନ ପର୍ଯ୍ୟନ୍ତ ସେମାନଙ୍କ ସହ ଯୋଗାଯୋଗ ନ ହେବାରୁ ଡାକ୍ତରଙ୍କ ସହକର୍ମୀମାନେ ତାଙ୍କ ଘରକୁ ଯାଇଥିଲେ। ଡାକିବା ପରେ କେହି ନ ଶୁଣିବାରୁ ସେମାନେ କବାଟ ଭାଙ୍ଗି ଭିତରେ ଡାକ୍ତର, ତାଙ୍କ ପତ୍ନୀ ଅର୍ଚ୍ଚନା, ଝିଅ ଆଦିଭା (୧୨) ଓ ପୁଅ ଆରବ (୪)ଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଖବର ପାଇ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ହାତୁଡ଼ି, ରକ୍ତ ଦାଗ ଓ ଡ୍ରଗ୍ସ ଇଞ୍ଜେକ୍ସନ ମିଳିଥିଲା। ପୁଲିସ ସୂଚନା ଅନୁଯାୟୀ, ଡାକ୍ତର ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ପ୍ରଥମେ ଡ୍ରଗ୍ସ ଦେଇଥିଲେ। ତା’ପରେ ସେମାନଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ହତ୍ୟା କରିଥିଲେ। ଡାକ୍ତର ପ୍ରଥମେ ତାଙ୍କ ହାତ କାଟିବାକୁ ଚେଷ୍ଟା କରିଥିଲେ। ତାହା କାମ ନ ହେବାରୁ ସେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ।