ପାରାଦ୍ବୀପ ରାଡାର୍‌ରେ ଦିଶିଲା ଗଭୀର ଅବପାତ ପାଲଟୁଥିବା ଲଘୁଚାପ

ନୂଆଦିଲ୍ଲୀ: ଗତରାତିରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ କ୍ରମଶଃ ଗଭୀର ଅବପାତ ପାଲଟିବା ସହ ପାରାଦ୍ବୀପରେ ଲାଗିଥିବା ରାଡାର୍‌ରେ ଦୃଶ୍ୟମାନ ହେଉଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସଂଘଠିତ ଲଘୁଚାପ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୮ କିଲୋମିଟର୍‌ ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଗତରାତି ୧୧.୩୦ ସୁଦ୍ଧା ଉତ୍ତର ଅକ୍ଷାଂଶର ୧୪.୯ ଡିଗ୍ରି ଏବଂ ପୂର୍ବ ଦ୍ରାଘିମାର ୮୯.୮ ଡିଗ୍ରି ନିକଟ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି।

Image Courtesy of IMD

ସ୍ଥଳଭାଗରୁ ଆକଳନ କଲେ ଉକ୍ତ ଲଘୁଚାପ ପୋର୍ଟବ୍ଲେୟାର୍‌ର ଉତ୍ତରପଶ୍ଚିମକୁ ୪୭୫ କିଲୋମିଟର୍‌, ସାଗର ଦ୍ବୀପର ଦକ୍ଷିଣ-ଦକ୍ଷିଣପୂର୍ବକୁ ୭୮୦ କିଲୋମିଟର୍‌ ଏବଂ ବାଂଲାଦେଶର ବରିସାଲ୍‌ର ଦକ୍ଷିଣକୁ ୮୮୦ କିଲୋମିଟର୍‌ ଦୂରବର୍ତ୍ତୀ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିଲା।

ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଏହା ଆହୁରି ତୀବ୍ରତର ହୋଇ ଆଗାମୀ ୧୨ ଘଣ୍ଟା ମଧ୍ୟରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ରୂପାନ୍ତର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପରେ ଉକ୍ତ ଗଭୀର ଅବପାତ କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ମୋଡ଼ ବଦଳାଇ ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ପାରେ।

ଏହାପରେ, ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ୨୫ ତାରିଖ ପ୍ରତ୍ୟୁଷରେ ତିନିକୋନା ଦ୍ବୀପ ଓ ସାନ୍ଦ୍ବୀପ ମଧ୍ୟ ଦେଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ।

ସମ୍ବନ୍ଧିତ ଖବର