ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ପତ୍ନୀ ଅମୃତା ଫଡ଼ନାବିସଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ଡିଜାଇନରଙ୍କୁ ଆଜି ଗିରଫ କରିଛି। ପୂର୍ବରୁ ଅମୃତା ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଏକ ଅପରାଧିକ ମାମଲାରେ ହସ୍ତକ୍ଷେପ କରିବାପାଇଁ ଡିଜାଇନର ଜଣଙ୍କ ଅମୃତାଙ୍କୁ ଲାଞ୍ଚ ଅଫର୍‌ କରିଥିଲେ ଏବଂ ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ଅମୃତା‌ ଗତ ଫେବ୍ରୁଆରି ୨୦ରେ ଏନେଇ ମାଲାବାର ହିଲ୍‌ ଥାନାରେ ଏକ ଏତଲା ରୁଜୁ କରିଥିଲେ। ଉକ୍ତ ଡିଜାଇନରଙ୍କ ନାମ ଅନୀକ୍ଷା ଜୟସିଙ୍ଘାନି। ମୁମ୍ବାଇ ପୁଲିସ ଆଜି ଅନୀକ୍ଷାଙ୍କୁ ଗିରଫ କରିଛି। ସେ ୱାଣ୍ଟେଡ ବୁକି ଅନିଲ ଜୟସିଙ୍ଘାନିଙ୍କ ଝିଅ। ଏତଲା ଅନୁଯାୟୀ ଅନୀକ୍ଷା ଗତ ୧୬ ମାସ ଧରି ଅମୃତାଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ତାଙ୍କ ବାସଭବନକୁ ଯାଉଥିଲେ। ନଭେମ୍ବର ୨୦୨୧ରେ ଅମୃତା ପ୍ରଥମେ ଅନୀକ୍ଷାଙ୍କୁ ଭେଟିଥିଲେ। ଅନୀକ୍ଷା ନିଜକୁ ଜଣେ ଡିଜାଇନର ବୋଲି ଦାବି କରିଥିଲେ। ଅମୃତା ତାଙ୍କ ଡିଜାଇନର ପୋଷାକ ଏବଂ ଗହଣା ପିନ୍ଧିବାପାଇଁ ସେ ଅନୁରୋଧ କରିଥିଲେ। ସେ ଅମୃତାଙ୍କୁ କହିଥିଲେ ଯେ ତାଙ୍କ ମା’ ମରିଯାଇଛନ୍ତି ଏବଂ ସେ ହିଁ ପରିବାରର ଆର୍ଥିକ ଖର୍ଚ୍ଚ ବହନ କରୁଛନ୍ତି। ଅମୃତାଙ୍କ ବିଶ୍ବାସ ଜିତିବାପରେ ଅନୀକ୍ଷା‌ ଏହାପରେ ତାଙ୍କ ବାପାଙ୍କୁ ଏକ ଅପରାଧିକ ମାମଲାରୁ ବାହାର କରିବାପାଇଁ ୧ କୋଟି ଟଙ୍କାର ଅଫର୍‌ ଦେଇଥିଲେ। ଅନୀକ୍ଷା ମଧ୍ୟ ଅମୃତାଙ୍କୁ ବାରମ୍ବାର ଧମକ ବି ଦେଇଥିଲେ। ବ୍ୟବହାରରେ ଅତିଷ୍ଠ ହୋଇ ଅମୃତା ଶେଷରେ ତାଙ୍କ ନମ୍ବରକୁ ବ୍ଲକ୍‌ କରିଦେ‌ଲେ ବୋଲି କହିଛନ୍ତି। ଅନ୍ୟପକ୍ଷେ ମୁମ୍ବାଇ ପୁଲିସ ଅନୀଲ ଜୟସିଙ୍ଘାଣୀଙ୍କ ପୁଅଙ୍କୁ ଅଟକ ରଖି ଜେରା କରୁଛି।