ନୂଆଦିଲ୍ଲୀ: ଜଣେ ଅଭିଯୁକ୍ତ ଯେତେବେଳେ ନ୍ୟାୟ ବ୍ୟବସ୍ଥା ସଂକ୍ରାନ୍ତରେ ଭଲଭାବେ ଅବଗତ ନଥାଏ ତା’ ସହ ଅନେକ ଅନ୍ୟାୟ ହୋଇଥାଏ। ନ୍ୟାୟିକ ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ ନହେଲେ ଅନେକ ସୁବିଧାସୁଯୋଗରୁ ବଞ୍ଚିତ ହେବାକୁ ପଡ଼ିଥାଏ। ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ୩ଟି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଅଭିଯୁକ୍ତକୁ ସୁପ୍ରିମକୋର୍ଟ ନିକଟରେ ଦୋଷମୁକ୍ତ କରିଛନ୍ତି। ଅପରାଧ ଘଟାଇବା ସମୟରେ ଅଭିଯୁକ୍ତର ବୟସ ୧୭ବର୍ଷ ଏବଂ ୭ ମାସ ହୋଇଥିଲା। ଏଥିପାଇଁ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଇତି ମଧ୍ୟରେ ସମ୍ପୃକ୍ତ ଅଭିଯୁକ୍ତ ଜଣଙ୍କ ୧୭ ବର୍ଷ ଜେଲ୍ରେ କଟାଇ ସାରିଛନ୍ତି। କିନ୍ତୁ ଜଣେ ନାବାଳକଙ୍କ ପାଇଁ ସର୍ବାଧିକ ଦଣ୍ଡ ହେଉଛି ତାକୁ ୩ ବର୍ଷ ପାଇଁ ବାଳ ସୁଦ୍ଧାର ଗୃହକୁ ପଠାଇବା। ତେବେ ଏହି ବ୍ୟବସ୍ଥା ସଂକ୍ରାନ୍ତରେ ସମ୍ପୃକ୍ତ ଅଭିଯୁକ୍ତ କିଛି ଜାଣିନଥିଲେ।
ଜେଲ୍ରୁ ବାହାରିବାପାଇଁ ସେ ଜଣେ ଆଇନଜୀବୀଙ୍କ ସହଯୋଗ ନେବାବେଳେ ସେ ପ୍ରଥମ ଥର ପାଇଁ ନାବାଳକ ସଂକ୍ରାନ୍ତ ଆଇନ ବାବଦରେ ଜାଣିଥିଲେ। ଉକ୍ତ ଆଇନଜୀବୀ କୋର୍ଟଙ୍କୁ ଅବଗତ କରିଥିଲେ ଯେ ଦୋଷୀର ଜନ୍ମ ମେ’, ୧୬,୧୮୯୬ରେ ହୋଇଥିଲା। ୨୦୦୪, ଜାନୁଆରି ୮ରେ ଅପରାଧ ଘଟିଛି। ତେବେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ମହାରାଜଗଂଜ ଜିଲ୍ଲାର ଜେଜେବି (ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ)କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଣାପଡ଼ିଥିଲା ଯେ ଦୋଷୀର ଜନ୍ମତାରିଖ ଠିକ୍ ଅଛି। ଏହା ଜାଣିବାପରେ ସୁପ୍ରିମକୋର୍ଟ ତୁରନ୍ତ ଦୋଷୀକୁ ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଜଣଙ୍କୁ ମେ’ ୨୦୦୬ରେ ଜିଲ୍ଲା କୋର୍ଟ ଦୋଷୀସାବ୍ୟସ୍ତ କରିଥିଲେ। ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ହାଇକୋର୍ଟ ୨୦୦୯ ଅଗଷ୍ଟରେ ଜାମିନ ଆବେଦନ ଖାରଜ କରିଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/supremecourt.jpeg)