କୋଭିଡ୍‌ଜନିତ ଅଚଳାବସ୍ଥା ସତ୍ତ୍ବେ, ବିଶ୍ବ ତାପମାତ୍ରା ବଢ଼ିଛି

ନାଇରୋବି: ମହାମାରୀ କୋଭିଡ୍‌ରୁ ସବୁଜ ସ୍ବାଭାବିକତା ଫେରି ପାଇବା ଅବସରରେ ୨୦୩୦ ମସିହା ସୁଦ୍ଧା କ୍ଷତିକାରକ ସବୁଜଗୃହ ବାଷ୍ପର ୨୫ ପ୍ରତିଶତ ନିର୍ଗମନ କମିଯିବ ଏବଂ ଏଥି ଯୋଗୁଁ ସାରା ବିଶ୍ବକୁ ପ୍ୟାରିସ ରାଜିନାମା ମୁତାବକ ଦୁଇ ଡିଗ୍ରି ସେଲସିଅସ ତାପମାତ୍ରା ହ୍ରାସ ଲକ୍ଷ୍ୟ ହାସଲ କରିହେବ ବୋଲି ଜାତିସଂଘର ପରିବେଶ କାର୍ଯ୍ୟକ୍ରମ(ୟୁଏନ୍‌ଇପି) ପକ୍ଷରୁ ବୁଧବାର ଆଶା ପୋଷଣ କରାଯାଇଛି। ତେବେ ୟୁଏନ୍‌ଇପିର ବାର୍ଷିକ ନିର୍ଗମନ ଅନ୍ତର-୨୦୨୦ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମହାମାରୀ କୋଭିଡ୍‌ ଯୋଗୁଁ ସୃଷ୍ଟ ଅଚଳାବସ୍ଥା ପରିପ୍ରେକ୍ଷୀରେ ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ଯଥେଷ୍ଟ ହ୍ରାସ ହୋଇଥିଲେ ହେଁ ବିଶ୍ବ ତାପମାତ୍ରା ଚଳିତ ଶତାବ୍ଦୀରେ ତଥାପି ତିନି ଡିଗ୍ରି ସେଲସିଅସ ବୃଦ୍ଧି ହୋଇ ରହିଛି। ତେବେ ବିଭିନ୍ନ ରାଷ୍ଟ୍ର ପରିବେଶ ପରିଚାଳନା ଦିଗରେ ବ୍ୟାପକ ପୁଞ୍ଜି ଖଟାଇଲେ ହିଁ ଆକାଂକ୍ଷିତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିହେବ। ଅବଶ୍ୟ ଗତବର୍ଷ ଏବଂ ଚଳିତ ୨୦୨୦ ମସିହାରେ ଦେଖାଦେଇଥିବା ଜଙ୍ଗଲପୋଡ଼ି ଯୋଗୁଁ ଏହା ସବୁଠୁ ଉତ୍ତପ୍ତ ରହିବା ସହ ଝଡ଼ ଓ ମରୁଡ଼ି ମଧ୍ୟ ସମସ୍ୟା ବଢ଼ିଛି ବୋଲି ୟୁଏନ୍‌ଇପି ସ୍ପଷ୍ଟ କରିଛି।

୨୦୧୦ ମସିହା ଠାରୁ ସବୁଜ ଗୃହ ବାଷ୍ପ ନିର୍ଗମନରେ ବାର୍ଷିକ ୧.୪ ପ୍ରତିଶତ ବୃଦ୍ଧି ଘଟି ଚାଲିଥିବା ବେଳେ ୨୦୧୯ରେ ଭୀଷଣ ଜଙ୍ଗଲ ପୋଡ଼ି ଯୋଗୁଁ ତାହା ୨.୬ ପ୍ରତିଶତ ହୋଇଛି। ଅପରପକ୍ଷେ, କୋଭିଡ୍‌ କଟକଣା ଯୋଗ୍ୁଁ‌ ଗମନାଗମନରେ ବ୍ୟାପକ ହ୍ରାସ ଓ କଳକାରଖାନା ଠପ୍‌ ହୋଇଯିବା କାରଣରୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ଚଳିତ ବର୍ଷ ୭ ପ୍ରତିଶତ ଯାଏ କମିଯିବ ବୋଲି ଅନୁମାନ କରାଯାଉଥିଲା। ତେବେ ଏହି ହ୍ରାସ ପରିମାଣ ବିଶ୍ବ ତାପମାତ୍ରାକୁ ୨୦୫୦ ସୁଦ୍ଧା ମାତ୍ର ୦.୦୧ ଡିଗ୍ରି ସେଲସିଅସ କମାଇ ପାରିବ। ତେବେ ଆବଶ୍ୟକ ପରିମାଣର କୋଭିଡ୍‌ ପର ସବୁଜ ପୁନରୁଦ୍ଧାର ହୋଇପାରିଲେ ୨୦୩୦ ସୁଦ୍ଧା ସବୁଜଗୃହ ବାଷ୍ପର ନିର୍ଗମନ ୨୫ ପ୍ରତିଶତ କମିଯିବ ବୋଲି ଆଶା କରାଯାଉଛି। ଏହି ଉଦ୍ୟମର ଅଂଶସ୍ବରୂପ ଖଣିଜ ତୈଳ ବ୍ୟବହାରରେ ହ୍ରାସ, ତାପଜ କେନ୍ଦ୍ର ସ୍ଥାପନରୁ ବିରତ ହେବା, ଆଣବିକ ଶକ୍ତି କେନ୍ଦ୍ରକୁ ପ୍ରୋତ୍ସାହନ ଏବଂ ଶୂନ ନିର୍ଗମନ ପ୍ରକ୍ରିୟାକୁ ଗୁରୁତ୍ବ ଦେବା ବାଞ୍ଛନୀୟ ବୋଲି ୟୁଏନ୍‌ଇପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର