କୋଲକାତା: ସମଗ୍ର ଦେଶରେ ବନୀକରଣ କାର୍ଯ୍ୟକ୍ରମ ଯୋଗୁଁ ଭାରତର ସବୁଜିମା ବୃଦ୍ଧି ପାଉଥାଇପାରେ, କିନ୍ତୁ ଗଛଗୁଡ଼ିକ ସଠିକ୍ ଭାବରେ ଆଲୋକ ସଂଶ୍ଳେଷଣ କରିବାରେ ସକ୍ଷମ ହୋଇପାରୁ ନ ଥିବାରୁ ଆମ ଜଙ୍ଗଲର ସ୍ୱାସ୍ଥ୍ୟ ହ୍ରାସ ପାଉଛି ବୋଲି ଖଡ଼ଗପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଜଙ୍ଗଲର ଅବକ୍ଷୟ ଜୈବବିବିଧତା, ସାଇଜ୍ କାଠ ଉତ୍ପାଦନ, ବନବାସୀଙ୍କ ଜୀବିକା ଓ ଦୀର୍ଘକାଳୀନ ଜଳବାୟୁ ସହନଶୀଳତା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।
ଆଇଆଇଟି ଖଡ଼ଗପୁରର ସେଣ୍ଟର ଫର୍ ଓସେନ୍, ରିଭର, ଆଟ୍ମସ୍ଫିୟର ଆଣ୍ଡ ଲ୍ୟାଣ୍ଡ ସାଇନ୍ସର ଆସୋସିଏଟ୍ ପ୍ରଫେସର ଜୟନାରାୟଣନ୍ କୁଟ୍ଟିପୁରଥ କହିଛନ୍ତି, ଭାରତ ଅଧିକ ସବୁଜିମା ଯୋଗ କରୁଛି ଏବଂ ବିଶ୍ୱ ଭୂପୃଷ୍ଠ ଅଙ୍ଗାରକାମ୍ଳ ବିଶୋଧନରେ ଯୋଗଦାନ ଦେଉଛି, କିନ୍ତୁ ଆଲୋକ ସଂଶ୍ଳେଷଣ ଦକ୍ଷତା ହ୍ରାସ ହେତୁ ଏହାର ଜଙ୍ଗଲ ସ୍ୱାସ୍ଥ୍ୟ କ୍ରମାଗତ ଭାବରେ ହ୍ରାସ ପାଉଛି। ଆଲୋକ ସଂଶ୍ଳେଷଣ ହେଉଛି ଏକ ପ୍ରକ୍ରିୟା ଯାହା ମାଧ୍ୟମରେ ସବୁଜ ଉଦ୍ଭିଦଗୁଡିକ ସୂର୍ଯ୍ୟକିରଣ, ଜଳ ଓ ଅଙ୍ଗାରକାମ୍ଳ ବ୍ୟବହାର କରି ନିଜର ଖାଦ୍ୟ (ଗ୍ଲୁକୋଜ୍) ଉତ୍ପାଦନ କରନ୍ତି ଓ ଅମ୍ଳଜାନ ମୁକ୍ତ କରନ୍ତି।
ଚଳିତ ବର୍ଷ ଅଗଷ୍ଟରେ ସାଇନ୍ସ ଡାଇରେକ୍ଟରେ ଏହି ଅଧ୍ୟୟନ ପ୍ରକାଶିତ ହୋଇଥିଲା। ଏହି ଅଧ୍ୟୟନରୁ ଜଣାପଡିଛି ଯେ ୨୦୧୦-୨୦୧୯ ମଧ୍ୟରେ ଭାରତୀୟ ଜଙ୍ଗଲର ଆଲୋକ ସଂଶ୍ଳେଷଣ ଦକ୍ଷତା ପୂର୍ବ ଦଶନ୍ଧି ୨୦୦୦-୨୦୦୯ ତୁଳନାରେ ୫% ହ୍ରାସ ପାଇଛି। ପୂର୍ବ ହିମାଳୟ, ପଶ୍ଚିମଘାଟ ଓ ଇଣ୍ଡୋ-ଗାଙ୍ଗେୟ ସମତଳ ଅଞ୍ଚଳର ଜଙ୍ଗଲରେ ଏହି ହ୍ରାସ ଅଧିକ ଦେଖାଯାଉଛି। ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ଦ୍ୱାରା ପ୍ରକାଶିତ ୨୦୨୩ର ଇଣ୍ଡିଆ ଷ୍ଟେଟ୍ ଫର୍ ଫରେଷ୍ଟ ରିପୋର୍ଟ ଅନୁଯାୟୀ, କୃଷି ବନୀକରଣ ଅଧୀନରେ ଦେଶରେ ମୋଟ ବୃକ୍ଷ ସବୁଜିମା ୧,୨୭,୫୯୦ ବର୍ଗ କିଲୋମିଟର ବୋଲି ଆକଳନ କରାଯାଇଥିଲା। ଗତ ଏକ ଦଶନ୍ଧି ମଧ୍ୟରେ କୃଷି-ବନୀକରଣ ଅଧୀନରେ ସମୁଦାୟ ବୃକ୍ଷ ସବୁଜିମାରେ ୨୦% ବୃଦ୍ଧି ଘଟିଛି। ଏହି ଅଧ୍ୟୟନ ଅନୁଯାୟୀ, ଜଙ୍ଗଲ ସ୍ୱାସ୍ଥ୍ୟରେ ଅଧିକାଂଶ ହ୍ରାସର କାରଣ ହେଉଛି, ଗ୍ଲୋବାଲ୍ ୱାର୍ମିଂ ଯାହାଦ୍ବାରା ମାଟିର ଆର୍ଦ୍ରତା ହ୍ରାସ ପାଇବା ସହ ବାୟୁର ତାପମାତ୍ରା ଅଧିକ ରହୁଛି। ଜଙ୍ଗଲରେ ନିଆଁ ଲାଗିବା ଓ ଭୂସ୍ଖଳନ ହେଉଛି ଅନ୍ୟ ପ୍ରାକୃତିକ କାରଣ। ତଥାପି ଜଙ୍ଗଲ କ୍ଷୟ, ଖଣି ଖନନ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକଳାପ ମଧ୍ୟ ଜଙ୍ଗଲ ସ୍ୱାସ୍ଥ୍ୟର ଅବନତିରେ ସହାୟକ ହୋଇଥାଏ।